Unknown

 

 

 

 

 

 

 

 

 

 

 

ଦେଶ, କାଳ ପାତ୍ର ଓ ମନୀଷୀ ଫକୀରମୋହନ

ଡଃ ଜେ.ଭି. ବୋଲ୍‌ଟନ

 

ଅଗ୍ରଲେଖ

 

ଡଃ ବୋଲ୍‍ଟନ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ପ୍ରାଚ୍ୟବିତ୍‍ ଅଧ୍ୟାପକ । ବ୍ୟାସକବି ଫକୀରମୋହନ ସେନାପତିଙ୍କର ସାହିତ୍ୟ ଓ ଜୀବନୀ ସମ୍ପର୍କରେ ଉଚ୍ଚକୋଟୀର ଗବେଷଣାତ୍ମକ ନିବନ୍ଧ ରଚନା କରି ସେ ଲଣ୍ଡନ ବିଶ୍ଵବିଦ୍ୟାଳୟରୁ ପିଏଚ୍‍.ଡି ଉପାଧି ଲାଭ କରିଛନ୍ତି ଏବଂ ଏଥିପାଇଁ ଓଡ଼ିଶାରେ ସେ ସୁପରିଚିତ ।

 

ଓଡ଼ିଆ ସାହିତ୍ୟକୁ ତାଙ୍କର ମହନୀୟ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ୧୯-୨-୧୯୭୫ ମସିହାରେ ଓଡ଼ିଶାର ବିଶିଷ୍ଟ ବୟୋବୃଦ୍ଧ ସାହିତ୍ୟିକଙ୍କ ସହିତ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଏ ଅବସରରେ ଡଃ ବୋଲ୍‍ଟନ ଯେଉଁ କ୍ଷୁଦ୍ର ସାରଗର୍ଭକ ଓଡ଼ିଆ ଭାଷଣ ପାଠ କରିଥିଲେ, ତାହା ବର୍ତ୍ତମାନ ପୁସ୍ତକ ଆକାରରେ ପ୍ରକାଶ କରାଗଲା ।

 

ଏହି କ୍ଷୁଦ୍ର ପୁସ୍ତକଟି ଓଡ଼ିଶାର ସାହିତ୍ୟପ୍ରେମୀ ଜନସାଧାରଣଙ୍କର ପ୍ରିୟଭାଜନ ହେବ ବୋଲି ମୋର ବିଶ୍ଵାସ ।

 

ଗଙ୍ଗାଧର ମହାପାତ୍ର

ସଭାପତି

ଓଡ଼ିଆ ସାହିତ୍ୟ ଏକାଡେମୀ

☆☆☆

 

ଦୁଇ ପଦ

 

ଆଧୁନିକ ଓଡ଼ିଆ ସାହିତ୍ୟର ସଂଘର୍ଷ-ସଙ୍କୁଳ ଉନ୍ମେଷ ପର୍ଯ୍ୟାୟ ସହିତ ବ୍ୟାସକବି ଫକୀରମୋହନଙ୍କର ଜୀବନୀ ଓ ସାହିତ୍ୟ ନିବିଡ଼ ଭାବରେ ଜଡ଼ିତ । ଏହି କ୍ଷୁଦ୍ର ପୁସ୍ତିକାଟିରେ ବିଶିଷ୍ଟ ପାଶ୍ଚାତ୍ୟ ଗବେଷକ ଡଃ ଜେ.ଭି. ବୋଲ୍‍ଟନ ସେହି ସମୟ ଓ ପରିସ୍ଥିତିର ଯେଉଁ ନିରପେକ୍ଷ ବିଶ୍ଳେଷଣ କରିଛନ୍ତି, ତାହା ପ୍ରତ୍ୟେକଙ୍କର ପ୍ରଣିଧାନ ଯୋଗ୍ୟ ।

 

ଏହି ପୁସ୍ତକ ଓଡ଼ିଆର ସମୀକ୍ଷା ସାହିତ୍ୟକୁ ସମୃଦ୍ଧ କରିପାରିବ ବୋଲି ମୋର ବିଶ୍ଵାସ ।

 

ମନୋରଞ୍ଜନ ଦାସ

ସମ୍ପାଦକ

☆☆☆

 

ଦେଶ, କାଳ, ପାତ୍ର ଓ ମନୀଷୀ ଫକୀରମୋହନ

 

(କ) ସମୟ ଓ ଓଡ଼ିଆ ସାହିତ୍ୟ

 

ଭାରତବର୍ଷରେ ଆଧୁନିକ ଓ ମଧ୍ୟଯୁଗୀୟ ସାହିତ୍ୟ ଭିତରେ ପ୍ରଧାନ ପାର୍ଥକ୍ୟ ହେଉଛି ସେଗୁଡ଼ିକ ପ୍ରଚାର କରିବାର ଉପାୟ, ମଧ୍ୟଯୁଗୀୟ ସାହିତ୍ୟ ପ୍ରଚାର ହେଉଥିଲା ପାଣ୍ଡୁଲିପିରେ ଓ ଗାୟକମାନଙ୍କ ମୁଖରେ ଆଉ ଆଧୁନିକ ସାହିତ୍ୟ ପ୍ରଚାର ହେଉଛି ପ୍ରଧାନତଃ ଛପା ବହିରେ । ଗତ ଶତାବ୍ଦୀରେ ଓଡ଼ିଆ ଓ ବଙ୍ଗାଳୀ ବୁଦ୍ଧିଜୀବୀମାନଙ୍କ ଭିତରେ ସମସାମୟିକ ପତ୍ର-ପତ୍ରିକାରେ ଯେଉଁ ସଂଘର୍ଷ ଘଟିଥିଲା, ତା’ର ମୂଳ କାରଣ ହେଲା ଆଧୁନିକ ଛପା ସାହିତ୍ୟର ବ୍ୟୟସାପେକ୍ଷତା । ଯେତେବେଳେ ଓଡ଼ିଆ ଓ ବଙ୍ଗଳା ସାହିତ୍ୟ ପାଣ୍ଡୁଲିପିରେ ଚଳୁଥିଲା, ସେତେବେଳେ ଓଡ଼ିଆ ଓ ବଙ୍ଗାଳୀମାନଙ୍କ ଭିତରେ ପ୍ରାୟ କୌଣସି ବିବାଦ ନ ଥିଲା ।

 

ଧରନ୍ତୁ, ହଜାରେ ବର୍ଷ ହେଲା ଯେତେବେଳେ ସେଇ ତଥାକଥିତ ବୌଦ୍ଧଗାନ ଓ ଦୋହା ରଚନା ହେଉଥିଲା, ସେତେବେଳେ କିଏ ପଚାରୁଥିଲା, କେଉଁ କବିତା ଓଡ଼ିଆ କବିଙ୍କ ଦ୍ଵାରା ଲେଖା ହୋଇଛି କିମ୍ବା କେଉଁ କବିତା ବଙ୍ଗାଳୀଙ୍କ ଦ୍ଵାରା ଲେଖା ? ସେଇ ପ୍ରଶ୍ନ ଗୁରୁତ୍ଵଲାଭ କଲା କେବଳ ଆଧୁନିକ ଯୁଗରେ, ସେତେବେଳେ କି ନିଜ ନିଜ ସ୍ଵାର୍ଥ ସମ୍ପର୍କରେ ସଜାଗ ହୋଇ ନିଜ ନିଜ ସ୍ଵାତନ୍ତ୍ର୍ୟ ଓ ଆତ୍ମସମ୍ମାନ ବଜାୟ ରଖିବା ପାଇଁ ଏଇ ଦୁଇ ଜାତି ବେଶ ତତ୍ପର ହୋଇ ଉଠିଲେ-

 

ଓଡ଼ିଆ ଓ ବଙ୍ଗଳା ମଧ୍ୟଯୁଗୀୟ ସାହିତ୍ୟ ମୂଲ୍ୟାୟନ କରିବାକୁ ଗଲେ, ଦେଖିବାକୁ ମିଳେ ଯେ ଗୁଣାତ୍ମକ ଓ ପରିମାଣତ୍ମକ ଦୃଷ୍ଟିରୁ ଏଇ ଦୁଇ ସାହିତ୍ୟ ମଧ୍ୟରେ ଖୁବ୍‍ ବେଶି ତଫାତ୍‍ ନାହିଁ । କୌଣସି ତଫାତ୍‍ ଯଦି ବା ଥାଏ, ତେବେ ଲାଭାଂଶ ଓଡ଼ିଆ ସପକ୍ଷରେ । କାହିଁକିନା, ମଧ୍ୟଯୁଗରୁ ଅଧିକାଂଶ ସମୟ ଓଡ଼ିଶା ନିଜର ସ୍ଵାଧୀନତା ନିଜର ବାହୁବଳରେ ବଜାୟ ରଖି ପାରୁଥିଲା । ତେଣୁ ମଧ୍ୟଯୁଗରେ ପୁରୀଧାମ ତା’ର ସର୍ବଭାରତୀୟ ପ୍ରାଧାନ୍ୟ ଲାଭ କରିପାରିଥିଲା । ସେଇ ପ୍ରାଧାନ୍ୟ ଏବେ ବି ଅକ୍ଷତ ଭାବରେ ରହିଛି । ଓଡ଼ିଶାର ଜଗନ୍ନାଥ ଧର୍ମକୁ କେନ୍ଦ୍ରକରି ସଂସ୍କୃତରେ ଓ ଓଡ଼ିଆରେ ଯେଉଁ ବୈଷ୍ଣବ ସାହିତ୍ୟ ଗଢ଼ିଉଠିଛି, ବଙ୍ଗଳାରେ ସେପରି ତୁଳନୀୟ ପ୍ରାୟ କିଛି ନାହିଁ । ବଙ୍ଗାଳୀମାନେ ଜୟଦେବ ଓ ତାଙ୍କର ଗୀତଗୋବିନ୍ଦକୁ ସେମାନଙ୍କର ନିଜସ୍ୱ ବୋଲି ଦାବି କରିପାରନ୍ତି । କିନ୍ତୁ ସେଇ ଦାବି ଆଦୌ ଯୁକ୍ତିଯୁକ୍ତ ନୁହେଁ । ତା’ର ପ୍ରମାଣ ସାରଳା ଦାସଙ୍କ ମହାଭାରତରେ ବେଶ୍‍ ସ୍ପଷ୍ଟ (୧) । ସାରଳା ଦାସଙ୍କ ସମୟକୁ ଜଗନ୍ନାଥଙ୍କୁ କେନ୍ଦ୍ରକରି ଦୁଇପ୍ରକାର ବୈଷ୍ଣବଧର୍ମ ଓଡ଼ିଶାରେ ପ୍ରଚଳିତ ହୋଇ ଆସୁଥିଲା । ଗୋଟିଏ ରାଜକୀୟ ମହଲରେ ଆଉ ଅନ୍ୟଟି ସାଧାରଣ ଲୋକମାନଙ୍କ ମଧ୍ୟରେ । ରାଜକୀୟ ମହଲରେ ଜୟଦେବଙ୍କର କୃଷ୍ଣ-ଲମ୍ପଟ ବୋଧହୁଏ ବେଶି ଆଦରଯତ୍ନ ପାଉଥିଲେ । ଏଇ କୃଷ୍ଣ ଦକ୍ଷିଣ ଭାରତରୁ ଦକ୍ଷିଣପନ୍ଥୀ ଗଙ୍ଗବଂଶ ପ୍ରଭାବରେ ଆସିଥିଲେ (୨) । ସେଇଥିପାଇଁ ଯେତେବେଳେ କପିଳେନ୍ଦ୍ର ଦେବ ବିଦ୍ରୋହ କରି ଶେଷ ‘ମଦ୍ୟପ’ କି ‘ମତ୍ତ’ ଗଙ୍ଗବଂଶୀୟ ରାଜାଙ୍କ ହାତରୁ ସିଂହାସନ ଛଡ଼ାଇ ଆଣିଲେ ,(୩) । ସେତେବେଳେ ସାରଳା ଦାସ ଆହୁରି ବିଦ୍ରୋହ କରି ତାଙ୍କ ମହାଭାରତରେ ସେଇ ବିଦେଶୀ ଦକ୍ଷିଣ ଭାରତୀୟ କୃଷ୍ଣଙ୍କୁ ବୋଧେ ଲମ୍ପଟ ହିସାବରେ ଚିତ୍ରଣ କରି ବିଦ୍ରୂପ କଲେ ଏବଂ ମୂଷଳୀପର୍ବରେ ଜଗନ୍ନାଥଙ୍କର ପ୍ରକୃତ ନାମଧାମ ଦେଖାଇ ଦେଲେ । ଜଗନ୍ନାଥ ଓଡ଼ିଶାର ଧୌଳି ପାହାଡ଼ରେ ଶବରୀ-ନାରାୟଣ ହିସାବରେ ଜନ୍ମଗ୍ରହଣ କରିଥିଲେ (୪) । ସେଇଥିପାଇଁ ଜଗନ୍ନାଥ ଓଡ଼ିଶା ମାଟିର ଜଣେ ସନ୍ତାନ ଏବଂ ତାଙ୍କ ପକ୍ଷରେ ଭଲ ଓଡ଼ିଆ ଘରର ପୁଅ ପରି ବ୍ୟବହାର କରିବା ଉଚିତ । ଏଇଟା ହେଲା ସାରଳା ଦାସଙ୍କର ବାଣୀ । ତାଙ୍କ ପରେ ବଳରାମ ଦାସ ଆଗଭଳି ଜଗନ୍ନାଥଙ୍କ ବିରୁଦ୍ଧରେ ଗାଳିବର୍ଷଣ ଅବ୍ୟାହତ ରଖିଛନ୍ତି ।

 

(୧) “ସାରଳା ମହାଭାରତରେ ‘ରାଧାମାଧବ’, ‘ମାଧବ’ ପ୍ରଭୃତି ଶବ୍ଦର ବହୁଳ ପ୍ରୟୋଗ ସୂଚିତ କରେ ଗୀତଗୋବିନ୍ଦର ‘ରାଧମାଧବ’ଙ୍କର ପ୍ରଭାବ ।’’ ବଂଶୀଧର ମହାନ୍ତି, କୋଣାର୍କ, ଷଷ୍ଠ ବର୍ଷ, ତୃତୀୟ ସଂଖ୍ୟା ୧୯୭୧ (ଏଣିକି ଏ ପ୍ରବନ୍ଧରେ ଏହି ବିଶେଷ ସଂଖ୍ୟା କେବଳ ‘କ’ଦ୍ଵାରା ସୂଚିତ) । ସମ୍ପାଦକୀୟ, (ଛ) ଦ୍ରଷ୍ଟବ୍ୟ ।

 

(୨) “ଦକ୍ଷିଣୀ ରାଜାମାନେ ଶାସନ କରୁଥିବାରୁ ସେଠାକାର ଧର୍ମ-ପ୍ରଚାରକମାନଙ୍କର ଧାର୍ମିକ ଆଦର୍ଶବାଦରେ ଓଡ଼ିଶାର ଧର୍ମଧାରା ପ୍ରଭାବିତ ହେବା ସ୍ଵାଭାବିକ ।” ବଂଶୀଧର ମହାନ୍ତି, କ (ଜ) ଦ୍ରଷ୍ଟବ୍ୟ ।

 

(୩) ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଞ୍ଚସଖାଯୁଗ ଓ ଓଡ଼ିଶାର ରାଜନୀତିକ ଇତିହାସ, କ ୨, ଦ୍ରଷ୍ଟବ୍ୟ ।

 

(୪) ଡଃ ବେଣୀମାଧବ ପାଢ଼ୀ, ପଞ୍ଚସଖା ସାହିତ୍ୟରେ ଶ୍ରୀ ଜଗନ୍ନାଥ, କ ୮୭ ଦ୍ରଷ୍ଟବ୍ୟ-

 

ମଧ୍ୟଯୁଗୀୟ ସାହିତ୍ୟରୁ ବିଚାର କଲେ, ବଙ୍ଗଳାରେ ଏପରି ସାହିତ୍ୟ ବେଶି ନାହିଁ, ଯାହାକୁ ନେଇ ସେମାନେ ଆତ୍ମପ୍ରସାଦ ଅନୁଭବ କରିପାରନ୍ତି । କିନ୍ତୁ ଊନବିଂଶ ଶତାବ୍ଦୀରେ ଇଂରେଜୀ ଶିକ୍ଷା ପ୍ରଥମେ ପାଇ ବଙ୍ଗାଳୀମାନେ ପାଶ୍ଚାତ୍ୟମୁଖୀ ହୋଇପଡ଼ିଲେ । କିନ୍ତୁ ଏ କୀର୍ତ୍ତି ନେଇ ସେମାନେ ଯେଉଁ ଗର୍ବବୋଧ କରୁଥିଲେ, ତା’ର ମୂଳ କାରଣ ଥିଲା କେବଳ ବଙ୍ଗାଳୀମାନଙ୍କର ଭାଗ୍ୟ । ଦୈବାତ୍‍ ଇଂରେଜ ଅମଳରେ ଭାରତର ପ୍ରଧାନ ରାଜନୀତିକ ଓ ଆର୍ଥନୀତିକ କେନ୍ଦ୍ର କଲିକତା ସେମାନଙ୍କ ଭାଗ୍ୟରେ ପଡ଼ିଲା । କିନ୍ତୁ ସେଥିରେ ବଙ୍ଗାଳୀମାନଙ୍କ ପକ୍ଷରେ ଗର୍ବ କରିବାର କ’ଣ ଥିଲା ?

 

ମଧ୍ୟଯୁଗରେ ତ ବଙ୍ଗାଳୀମାନେ ଏତେ ଅସହ୍ୟ ଭାବରେ ଗର୍ବାନ୍ଵିତ ନ ଥିଲେ । ପ୍ରତାପରୁଦ୍ରଙ୍କ ଅମଳରେ କିଛି କିଛି ବଙ୍ଗାଳୀମାନଙ୍କର ବିନୟବୋଧ ଥିଲା । ଚୈତନ୍ୟ ଯେତେବେଳେ ପୁରୀକୁ ଆସିଲେ, ସେତେବେଳେ ହୁଏତ ଓଡ଼ିଆ କଥା ଶିଖି ଓଡ଼ିଆ ସଂସ୍କୃତି ହାସଲ କରି ସେ ବେଶ୍‍ ସୁଖରେ ଓଡ଼ିଆ ସମାଜରେ ମିଶିବାକୁ ଆରମ୍ଭ କରିଥିଲେ । ନାମ ସଂକୀର୍ତ୍ତନ ଛଡ଼ା ସେ ହୁଏତ ବଙ୍ଗଳାରୁ ଆଉ କିଛି ଆମଦାନି କରିନଥିଲେ । ଯେଉଁ ରାଧା-କୃଷ୍ଣ ଭିତ୍ତିକ ବୈଷ୍ଣବଧର୍ମ ସେ ପ୍ରଚାର କରିବାକୁ ଲାଗିଲେ, ‘ତା’ ତାଙ୍କ ଆସିବା ଆଗରୁ ଓଡ଼ିଶାରେ ରାଜକୀୟ ମହଲରେ ଚର୍ଚ୍ଚା ହେଉଥିଲା (୫) । କାରଣ, ସେଇଭଳିଆ ବୈଷ୍ଣବଧର୍ମରୁ ଆସିଥିଲା ଜୟଦେବଙ୍କର ପ୍ରେରଣା ତାଙ୍କ ଗୀତଗୋବିନ୍ଦ ରଚନା କରୁଥିବା ସମୟରେ । ସେଇ ଏକ ରାଧା-କୃଷ୍ଣ ଭିତ୍ତିକ ବୈଷ୍ଣବଧର୍ମରୁ ଆସିଥିଲା ରାୟ ରାମାନନ୍ଦଙ୍କ ପ୍ରେରଣା । ସେଇ ସମୟରେ ରାଧା-କୃଷ୍ଣ ଲୀଳାକୁ କେନ୍ଦ୍ରକରି ସଂସ୍କୃତ ଭାଷାରେ ରଚନା ହୋଇଥିବା ନାଟକ ରାଜକୀୟ ମହଲରେ ଜନପ୍ରିୟ ହୋଇଥିଲା । ମଝିରେ ମଝିରେ ସେଗୁଡ଼ିକ ଜଗନ୍ନାଥ ଦେଉଳ ବେଢ଼ାରେ ଅଭିନୀତ ହେଉଥିଲା (୬) । ଓଡ଼ିଶାର ସ୍ଵାଧୀନତା ଲୋପ ପାଇଲା ଫଳରେ ଏଇ ଏକ ବିଷୟବସ୍ତୁ ନେଇ ଦୀନକୃଷ୍ଣ ଦାସ ଓ ଉପେନ୍ଦ୍ର ଭଞ୍ଜଙ୍କ ଭଳି ରୀତିଯୁଗୀୟ କବି ସେମାନଙ୍କ ଅମର କାବ୍ୟ ରଚନା କରିଥିଲେ । ପାର୍ଥକ୍ୟ ମଧ୍ୟରେ କେବଳ ଏତିକି ରହିଛି ଯେ ସେମାନଙ୍କ କାବ୍ୟ ରଚନା ହେଲା ଓଡ଼ିଆ ଭାଷାରେ, ସଂସ୍କୃତରେ ନୁହେଁ । ତେଣୁ ସତ କହିବାକୁ ଗଲେ, ଚୈତନ୍ୟ ଓଡ଼ିଶାକୁ ଆସିଥିଲେ ଶିଖିବା ପାଇଁ, ଶିଖାଇବାପାଇଁ ନୁହେଁ (୭) । କାହିଁକିନା, ତାଙ୍କ ଜୀବନକାଳରେ ଓଡ଼ିଶାରେ ବଙ୍ଗାଳୀମାନଙ୍କ ପକ୍ଷରେ ଅନେକ ଶିଖିବାର ଥିଲା । ଚୈତନ୍ୟଙ୍କ ପରି ଯେଉଁମାନଙ୍କର ଶିଖିବାର ବିନୟ ଥିଲା, ସେମାନେ ଶିଖିଲେ । କିନ୍ତୁ ଯେଉଁମାନଙ୍କର ସେପରି ବିନୟ ନା ଥିଲା–ଯଥା ଚୈତନ୍ୟଙ୍କ ତଥାକଥିତ ଗୌଡ଼ୀୟ ବୈଷ୍ଣବ ଶିଷ୍ୟମାନେ–ସେମାନେ ବୃନ୍ଦାବନ ଚାଲିଗଲେ । ଅର୍ଥାତ୍‍ ପ୍ରତାପରୁଦ୍ର ଦେବଙ୍କପରି ଜଣେ ପ୍ରତାପଶାଳୀ ରାଜାଙ୍କର ପୃଷ୍ଠପୋଷକତା, ଓଡ଼ିଶା ପରି ଗୋଟିଏ ସ୍ଵାଧୀନ ହିନ୍ଦୁ ରାଜ୍ୟର ସୁଖସୁବିଧା, ଆଉ ପୁରୀ ପରି ଗୋଟିଏ ସର୍ବଭାରତୀୟ ବିଖ୍ୟାତ ତୀର୍ଥସ୍ଥାନ ଛାଡ଼ି ସେମାନେ ମୁସଲମାନମାନଙ୍କ ଅଧୀନରେ ଜଙ୍ଗଲରେ ରହିବାକୁ ଅଭିମାନ କରି ଚାଲିଗଲେ । କାହିଁକିନା, ଚୈତନ୍ୟ ଜଗନ୍ନାଥ ଦାସଙ୍କ ପରି ଜଣେ ବିଖ୍ୟାତ ଓଡ଼ିଆ ପଣ୍ଡିତ କବିଙ୍କୁ ‘ଅତିବଡ଼ି’ ବୋଲି ଡାକୁଥିଲେ ।

 

(୫) “ତେଣୁ ଏଥିରୁ ଜଣାଯାଏ ଯେ, ଶ୍ରୀଚୈତନ୍ୟଙ୍କର ବହୁପୂର୍ବରୁ....ଓଡ଼ିଶାରେ ରହି ଆସିଛି.....ରାଧାକୃଷ୍ଣ ପ୍ରେମଲୀଳାମୂଳକ ସାହିତ୍ୟ.... ।’’ ବଂଶୀଧର ମହାନ୍ତି, କ (ଞ), ଦ୍ରଷ୍ଟବ୍ୟ ।

 

(୬) ଦୃଷ୍ଟାନ୍ତ ସ୍ୱରୂପ, କେଦାରନାଥ ମହାପାତ୍ର, ପଞ୍ଚସଖା ଯୁଗକାଳୀନ ଓଡ଼ିଶାର ସଂସ୍କୃତ ସାହିତ୍ୟ, କ ୧୩ ଦ୍ରଷ୍ଟବ୍ୟ ।

 

(୭) “ସବ୍‍ଶିଖାଇଲ ମୋରେ ରାମାନନ୍ଦ”, ବଂଶୀଧର ମହାନ୍ତି, କ (ଞ), ଦ୍ରଷ୍ଟବ୍ୟ ।

 

(ଖ) ସହିଷ୍ଣୁ ଜଗନ୍ନାଥ ଧର୍ମ ଓ ଓଡ଼ିଶାର ସାହିତ୍ୟିକ ପାଣିପାଗ

 

ଓଡ଼ିଶାରେ ଯେ ଅନେକ ଶିଖିବାର ଥିଲା, ତା’ର ପ୍ରମାଣ ହେଉଛନ୍ତି–ଗୌରୀଶଙ୍କର ରାୟ, ରାଧାନାଥ ରାୟ, ମଧୁସୂଦନ ରାଓ, ମଧୁସୂଦନ ଦାସ ଓ ଫକୀରମୋହନ ସେନାପତି । କଞ୍ଚା ବଙ୍ଗଳା କହିପାରୁଥିବା ସତ୍ତ୍ୱେ ସେମାନେ ସମସ୍ତେ ଓଡ଼ିଶା ପ୍ରତି ଅନୁଗତ ରହୁଥିଲେ । କାହିଁକିନା, ଓଡ଼ିଶାରେ ଏପରି ଗୋଟାଏ କିଛି ମିଳୁଥିଲା ଯାହା କି ବଙ୍ଗଳା ଦେଶରେ ଦୁର୍ଲଭ ଥିଲା । ତାହା ହେଉଛି ସହିଷ୍ଣୁତା । ଯେଉଁ ଜାତୀୟତାବାଦ ବଙ୍ଗଳାରେ ଗତ ଶତାବ୍ଦୀରେ ଗଢ଼ିଉଠିଲା, ତା’ର ମୂଳ ଉତ୍ସ ହେଲା ଅନେକାଂଶରେ ତୀବ୍ର ଅସହିଷ୍ଣୁତା, ତୀବ୍ର ସାମ୍ପ୍ରଦାୟିକତା ଏବଂ ତୀବ୍ର ରକ୍ଷଣଶୀଳତା । ସେଇଥିପାଇଁ ବଙ୍ଗଳା ଫାଟିଫୁଟି ଖଣ୍ଡବିଖଣ୍ଡ ହୋଇ ଏତେ ଛୋଟ ହୋଇଯାଇଛି । ଠିକ୍‍ ମୋ’ ଇଂଲଣ୍ଡ ପରି । ଦୁର୍ଭାଗ୍ୟକ୍ରମେ ତା’ ହେଉଛି ଅତି ଗର୍ବର ଫଳ । କିନ୍ତୁ ଓଡ଼ିଶାରେ ସେପରି ଗର୍ବ, ସେପରି ସାମ୍ପ୍ରଦାୟିକତା ନ ଥିଲା । ବଙ୍ଗାଳୀ, ମରାଠି, ଓଡ଼ିଆ, ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ; ଜାତିଧର୍ମନିର୍ବିଶେଷରେ ସମସ୍ତେ ମିଳିମିଶି ଜାତୀୟ ଆନ୍ଦୋଳନରେ ଅଂଶଗ୍ରହଣ କରୁଥିଲେ । ଓଡ଼ିଆ ଜାତୀୟତାବାଦୀମାନଙ୍କ ପକ୍ଷରେ ପ୍ରଧାନ କଥା ଥିଲା ଯେ, ସମସ୍ତେ ଓଡ଼ିଶାକୁ ସେମାନଙ୍କର ମାତୃଭୂମି ବୋଲି ସ୍ଵୀକାର କରି ନେଇଥିଲେ ଓ ସେମାନଙ୍କର ମାତୃଭାଷା ଓଡ଼ିଆ ବୋଲି ଭାବି ନେଇଥିଲେ । ଅର୍ଥାତ୍‍ ସବୁକିଛି ନିର୍ଭର କରୁଥିଲା କେବଳ ବ୍ୟକ୍ତିଗତ ସ୍ଵେଚ୍ଛାକୃତ ସିଦ୍ଧାନ୍ତ ଉପରେ, ଆଉ କିଛି ନୁହେଁ । ସେଇ ଦୃଷ୍ଟିଭଙ୍ଗୀ ଭିତରେ ଦେଖିବାକୁ ମିଳୁଛି ଗୋଟାଏ ସର୍ବବ୍ୟାପୀ ସହିଷ୍ଣୁତା । ସେଇ ସହିଷ୍ଣୁତାର ମୂଳ ଉତ୍ସ ହେଉଛନ୍ତି ଜଗନ୍ନାଥ, ଯାହାଙ୍କ ମୂଳ ତତ୍ତ୍ଵରେ ଆଦିବାସୀ, ବୌଦ୍ଧ, ଶାକ୍ତ, ଶୈବ, ବୈଷ୍ଣବ ଆଦି ଓଡ଼ିଶାର ପ୍ରାୟ ସବୁ ଧର୍ମବିଶ୍ଵାସ ମିଶିଯାଇଛି ଏବଂ ଯାହାଙ୍କ ଉପସ୍ଥିତିରେ ସବୁ ଜାତିଭେଦ ଲୋପ ପାଇଥାଏ । ସେଇଥିପାଇଁ ଓଡ଼ିଶା ଇଂରେଜ ଅମଳରେ ପ୍ରଶାସନିକ କାରଣରୁ ଖଣ୍ଡବିଖଣ୍ଡ ହୋଇଥିଲେ ବି କ୍ରମେ କ୍ରମେ ନିଜ ଚେଷ୍ଟାରେ ପୁଣିଥରେ ଐକ୍ୟବଦ୍ଧ ହୋଇଉଠିଲା । ତେଣୁ ମୋର ମନେହେଉଛି ଯେପରିକି ଓଡ଼ିଶାରେ ଏପରି ଗୋଟିଏ ଶକ୍ତି ଥିଲା, ଯାହା ବିଦେଶୀମାନଙ୍କ ହୃଦୟ କିଣିପାରୁଥିଲା । ସେଇଥିପାଇଁ ଯେଉଁମାନଙ୍କର ପୂର୍ବପୁରୁଷ ଓଡ଼ିଶାରେ ରହିଗଲେ, ସେମାନେ ଖାଣ୍ଟି ଓଡ଼ିଆଙ୍କ ଭଳି ବ୍ୟବହାର କରୁଥିଲେ । ଦୃଷ୍ଟାନ୍ତ ସ୍ୱରୂପ, ଓଡ଼ିଶାର ସ୍ଵାଧୀନତା ଲୋପ ପାଇଲା ପରେ ତୋଡ଼ର ମଲ୍ଲଙ୍କ ସହିତ ଅନ୍ୟାନ୍ୟ ବଙ୍ଗାଳୀ କାୟସ୍ଥମାନଙ୍କ ପରି ଗୌରୀଶଙ୍କର ରାୟଙ୍କ ପୂର୍ବପୁରୁଷମାନେ ମୋଗଲ ପ୍ରଶାସନ ଚଳାଇବା ପାଇଁ ବଙ୍ଗଳାରୁ ଆସିଥିଲେ ମଧ୍ୟ ସେମାନେ ଓଡ଼ିଶାକୁ ନିଜ ମାତୃଭୂମି ବୋଲି ଭାବି ନେଇ ଓଡ଼ିଆ କଥା ଶିଖି ଖାଣ୍ଟି ଓଡ଼ିଆ ହୋଇଗଲେ ।

 

(ଗ) ଏଇ ଜନ୍ମଭୂମି ଓ ମାଟି ପ୍ରତି ମମତାବୋଧ

 

ଗୌରୀଶଙ୍କରଙ୍କ ଯୌବନକାଳରେ ବଙ୍ଗଳା ଓ ଓଡ଼ିଶାର ଶିକ୍ଷାପ୍ରଣାଳୀ ପରସ୍ପର ସମ୍ପୃକ୍ତ ଥିଲା । ଓଡ଼ିଶାରେ କେବଳ ନିମ୍ନବୟସ୍କ ଛାତ୍ରବୃତ୍ତି ପରୀକ୍ଷା ଦେବାର ବ୍ୟବସ୍ଥା ଥିଲା । ବୟସ୍କ ଛାତ୍ରବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ହେଲେ, ବଙ୍ଗଳାର ହୁଗୁଳି କଲେଜ ଭଳି ଅନୁଷ୍ଠାନରେ ପଢ଼ାପଢ଼ି କରିବା ଆବଶ୍ୟକ ଥିଲା । ଗତ ଶତାବ୍ଦୀର ପଞ୍ଚମ ଦଶକରେ ଗୌରୀଶଙ୍କର ସେଇୟା କଲେ ।

 

ସେତେବେଳେ ବଙ୍ଗଳା ଭାଷାରେ ଆଧୁନିକ ସାହିତ୍ୟ ଫୁଟି ଉଠିବାର ଉପରେ ଥିଲା । ତେବେ ବି ଈଶ୍ଵରଚନ୍ଦ୍ର ଗୁପ୍ତଙ୍କ ଭଳି ବଙ୍ଗାଳୀ ବୁଦ୍ଧିଜୀବୀମାନେ ଅତୀତକୁ ଚାହିଁବାକୁ ଆରମ୍ଭ କରିସାରିଲେଣି । ସେମାନଙ୍କ ଉଦ୍ୟମରେ ପ୍ରାଚୀନ ବଙ୍ଗଳା ସାହିତ୍ୟ ସଂଗୃହୀତ ହୋଇ ନୂତନ ଛପା ସଂସ୍କରଣରେ ବାହାରିବାକୁ ଆରମ୍ଭ ହେଲାଣି । ପ୍ରାଚୀନକାଳର କବିମାନଙ୍କର ଜୀବନୀ ବି ସମସାମୟିକ ପତ୍ରିକାରେ ବାହାରୁଥିଲା । ମଧ୍ୟଯୁଗୀୟ ସାହିତ୍ୟର ଇତିହାସ ଚର୍ଚ୍ଚା କରିବା ପାଇଁ ବିଷୟବସ୍ତୁ ସଂଗୃହୀତ ହେବାକୁ ଆରମ୍ଭ ହେଲାଣି ।

 

ଏ ସବୁକିଛି ଦେଖି ନିଜ ଭାଷା ଓ ସାହିତ୍ୟ ପାଇଁ ଏକପ୍ରକାର ପ୍ରଚେଷ୍ଟା କରିବାକୁ ଗୌରୀଶଙ୍କର ରାୟ ଅନୁପ୍ରାଣିତ ହେଲେ । ଜଗମୋହନ ଲାଲାଙ୍କ ଭଳି ବନ୍ଧୁମାନଙ୍କ ସାହାଯ୍ୟରେ ଗୌରୀଶଙ୍କର Cuttack Printing Company ନାମରେ ଗୋଟିଏ ଛାପାଖାନା ସ୍ଥାପନ କରି ‘ଉତ୍କଳ ଦୀପିକା’ ପତ୍ରିକା ପ୍ରକାଶ କରିବାକୁ ଆରମ୍ଭ କଲେ । ତା’ଛଡା ପ୍ରାଚୀନ ଓଡ଼ିଆ ସାହିତ୍ୟ ସଂଗ୍ରହ ଓ ସମ୍ପାଦନ କାମ ହାତକୁ ନେଇ ପ୍ରକାଶକ ହିସାବରେ ପ୍ରତିଷ୍ଠା ପାଇବା ପାଇଁ ଆପ୍ରାଣ ଚେଷ୍ଟାରେ ଆତ୍ମ-ନିୟୋଗ କରିଥିଲେ ।

 

ଓଡ଼ିଶାର ଲୋମ-ହର୍ଷଣକାରୀ ନ’ଙ୍କ ଦୁର୍ଭିକ୍ଷ ଆରମ୍ଭ ହେବାର ସଙ୍ଗେ ସଙ୍ଗେ ଉତ୍କଳ ଦୀପିକାର ପ୍ରଥମ ସଂସ୍କରଣ ବାହାରିଲା । ସେଇ ଦୁର୍ଭିକ୍ଷ ଯୋଗୁଁ ଓଡ଼ିଶାର ସବୁକିଛି ବଦଳିଯିବାର ସୂତ୍ରପାତ ହେଲା । ଦୁର୍ଭିକ୍ଷ ନ ହେବା ପର୍ଯ୍ୟନ୍ତ ଇଂରେଜ ସରକାରଙ୍କ ଶୁଭଦୃଷ୍ଟି କେବେ ଭୁଲରେ ବି ଓଡ଼ିଶା ଦିଗକୁ ପଡ଼ି ନ ଥିଲା କହିଲେ ଚଳେ । ସେଇ ବର୍ଷରେ ରେଭେନ୍‍ସା ସାହେବ ନୂତନ ହୋଇ Commissioner ହିସାବରେ ଆସିଥିଲେ । ଦୁର୍ଭିକ୍ଷ ହେବାର ସମ୍ଭାବନା ବିଷୟରେ ଭୁଲ ଧାରଣା ପାଇ ସେ ଅନଭିଜ୍ଞତା ଯୋଗୁଁ କୌଣସି ଉପଯୁକ୍ତ ବ୍ୟବସ୍ଥା ନେଇ ନ ଥିଲେ । ତା’ ଫଳରେ ଯେତେବେଳେ ମାଛିମଶା ପରି ଲୋକେ ଅନାହାରରେ ମରିଯାଉଥିଲେ, ସେତେବେଳେ ହତାଶ ଭାବରେ ଚାହିଁରହିବା ଛଡ଼ା ରେଭେନ୍‍ସାଙ୍କ ପକ୍ଷରେ ପ୍ରାୟ ଆଉ କିଛି ସମ୍ଭବ ନ ଥିଲା । ସେ ନିଜ ଭୁଲ ପାଇଁ ଅନୁତାପରେ ଅଭିଭୂତ ହୋଇ ପ୍ରତିଜ୍ଞା କଲେ ଯେ, କ୍ଷତିପୂରଣ ହିସାବରେ ଓଡ଼ିଶା ପାଇଁ ସେ ସବୁକିଛି ସମ୍ଭବ କରିବାକୁ ପ୍ରସ୍ତୁତ ହେବେ । ତେଣୁ ତାଙ୍କ ଅମଳରେ କୃଷି ଉନ୍ନତ କରିବା ପାଇଁ ନୂଆ ନୂଆ ଖାଲ ଖଣା ହେଲା । ଆଉ ଓଡ଼ିଆମାନଙ୍କ ଶିକ୍ଷା ପାଇଁ କିଛି ନୂଆ ସୁଯୋଗ ସୁବିଧା ସୃଷ୍ଟି ହେଲା । ତା’ ମଧ୍ୟରେ ରହିଲା ଓଡ଼ିଆ ଭାଷାରେ ରଚନା ହୋଇଥିବା ନୂଆ ପାଠ୍ୟପୁସ୍ତକ ପାଇଁ କିଛି କିଛି ପୁରସ୍କାର ଘୋଷଣା ।

 

ସେଇ କାଳ ପର୍ଯ୍ୟନ୍ତ ତଥାକଥିତ ମୋଗଲବନ୍ଦୀ ପ୍ରକୃତ ପକ୍ଷରେ ବଙ୍ଗାଳୀ ବନ୍ଦୀ ଥିଲା କହିଲେ ଚଳେ । ଓଡ଼ିଆମାନଙ୍କ ପାଇଁ ଏଇ ସବୁ ସୁଯୋଗ ସୁବିଧା ବଙ୍ଗାଳୀମାନଙ୍କ ପକ୍ଷରେ ସେମାନଙ୍କ ପ୍ରାଧାନ୍ୟ ବିରୁଦ୍ଧରେ ପ୍ରଥମ ଆକ୍ରମଣ ବୋଲି ବୋଧ ହେଲା । ତେଣୁ ସେମାନଙ୍କ ମଧ୍ୟରେ ପ୍ରବଳଭାବରେ ପ୍ରତିକ୍ରିୟା ସୃଷ୍ଟି ହେଲା । ସେଇଥିପାଇଁ ବୋଧେ Cuttack Debating Societyରେ ରାଜେନ୍ଦ୍ରଲାଲ ମିତ୍ର କହିପକାଇଲେ ଯେ, ଓଡ଼ିଆଭାଷା ଉଠି ନ ଯିବା ପର୍ଯ୍ୟନ୍ତ, ଓଡ଼ିଶାର କୌଣସି ଉନ୍ନତିର ସମ୍ଭାବନା ନାହିଁ ।

 

ପ୍ରକାଶକର ବ୍ୟବସାୟ ନେଇ ଆଲୋଚନା କରିବାକୁ ଯାଇ ରାଜେନ୍ଦ୍ରଲାଲ ମିତ୍ର ଏଇ କଥା କହିପକାଇଥିଲେ ବୋଲି ବୋଧ ହେଉଛି । ଆଜିକାଲି ପରି ସେ ସମୟରେ ବି ବହି ପ୍ରକାଶ ବ୍ୟୟସାପେକ୍ଷ ଥିଲା । କେବଳ ଦୁଇ ପ୍ରକାରର ବହି ପ୍ରକାଶ କଲେ ଲାଭ ମିଳୁଥିଲା–ପାଠ୍ୟ ପୁସ୍ତକ ଓ ପ୍ରାଚୀନ ସାହିତ୍ୟ । ସେଦିନର ପରୀକ୍ଷାମୂଳକ, ପାଶ୍ଚାତ୍ୟମୁଖୀ ଗଦ୍ୟ ଓ ପଦ୍ୟ ପ୍ରକାଶ କରିବାକୁ ଗଲେ ପୃଷ୍ଠପୋଷକତା ଲୋଡ଼ା ଥିଲା । ବଙ୍ଗଳା ଭାଷାରେ ତଥା-କଥିତ ଆଧୁନିକ ସାହିତ୍ୟ ସର୍ବପ୍ରଥମେ Fort William College (1800) ଓ School Book Society (1817) ମାଧ୍ୟମରେ ବାହାରିଥିଲା । ସେଇ ଦୁଇ ଅନୁଷ୍ଠାନ ସରକାରୀ ପଇସାରେ ଚଳୁଥିଲା । ତା’ପରେ ଆଧୁନିକ ବଙ୍ଗଳା ସାହିତ୍ୟ କ୍ରମେ କ୍ରମେ ପତ୍ରପତ୍ରିକାରେ ବାହାରିବାକୁ ଲାଗିଲା । ତେବେ ବି ଧନୀ, ଅଭିଜାତ ବଙ୍ଗାଳୀ ପରିବାରର ସାହାଯ୍ୟ ନ ନେଇ ଏଇ ପତ୍ରପତ୍ରିକା ଖୁବ୍‍ ବେଶିଦିନ ବଞ୍ଚିରହି ପାରୁନଥିଲା । ସେଇଥିପାଇଁ ମନେହେଉଛି, ଯେପରିକି ରାଜେନ୍ଦ୍ରଲାଲ ମିତ୍ର କେବଳ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଉଠାଇବାକୁ ଚାହୁଁଥିଲେ, ଗୋଟିଏ ଆଧୁନିକ ଛପା ସାହିତ୍ୟ ବଞ୍ଚାଇ ରଖିବା ପାଇଁ ଓଡ଼ିଶାରେ ପାଠକ ସଂଖ୍ୟା ଯଥେଷ୍ଟ କି ନୁହେଁ ? ତାଙ୍କ ମତ ଅନୁସାରେ ସେମାନଙ୍କ ସଂଖ୍ୟା ଯଥେଷ୍ଟ ନ ଥିଲା ।

 

ଉତ୍କଳ ଦୀପିକାର ପୃଷ୍ଠାରେ ରାଜେନ୍ଦ୍ରଲାଲ ମିତ୍ରଙ୍କ ଯୁକ୍ତି ଖଣ୍ଡନ କରିବାକୁ ଯାଇ ଗୌରୀଶଙ୍କର ଏପରି ଗୋଟିଏ ପ୍ରସଙ୍ଗ ଉତ୍‍ଥାପନ କଲେ, ଯାହାକୁ ପରବର୍ତ୍ତୀ ଓଡ଼ିଆ ଜାତୀୟତାବାଦୀମାନେ ମୂଳ ଲକ୍ଷ୍ୟଭାବେ ଧରିନେଲେ; ଅର୍ଥାତ୍‍ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ । ଗୌରୀଶଙ୍କର ଯୁକ୍ତି କରି ପ୍ରତିପାଦନ କରିବାକୁ ଚେଷ୍ଟା କଲେ ଯେ, ଗଞ୍ଜାମ, ଗଡ଼ଜାତ, ସମ୍ବଲପୁର, ମୋଗଲବନ୍ଦୀ ପ୍ରଭୃତି ସବୁ ଓଡ଼ିଆ ଭାଷଭାଷୀ ଅଞ୍ଚଳଗୁଡ଼ିକ ଏକତ୍ରୀକରଣ ହେଲେ ସେମାନଙ୍କ ପକ୍ଷରେ ଗୋଟିଏ ଆଧୁନିକ ଛପା ସାହିତ୍ୟ ବଞ୍ଚାଇ ରଖିବା ଅସମ୍ଭବ ହେବ ନାହିଁ । ଇତିହାସ ଗୌରୀଶଙ୍କରଙ୍କ ସପକ୍ଷରେ ରାୟ ଦେଇ ସାରିଲାଣି ।

 

ଓଡ଼ିଆ ଭାଷାର ମର୍ଯ୍ୟାଦା ଓ ଭବିଷ୍ୟତ ଉପରେ କେବଳ ଯେ ଓଡ଼ିଆ ଭାଷାରେ ଲେଖା ହୋଇଥିବା ଗୋଟିଏ ଆଧୁନିକ ଛପା ସାହିତ୍ୟ ହେବାର ସମ୍ଭାବନା ନିର୍ଭର କରୁଥିଲା, ତା’ ନୁହେଁ । ଗୌରୀଶଙ୍କର ସଫଳ ପ୍ରକାଶକ ହେବା ପାଇଁ ଆପ୍ରାଣ ଚେଷ୍ଟା କରୁଥିବାରୁ ତାଙ୍କର ସବୁ ଜୋର୍‍ ଏଇ ସମ୍ଭାବନା ଉପରେ ପଡ଼ୁଥିଲା ମାତ୍ର । କିନ୍ତୁ ଓଡ଼ିଆ ଭାଷାର ଭବିଷ୍ୟତ ମର୍ଯ୍ୟାଦା ଉପରେ ଓଡ଼ିଆ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଚାକିରି ଥିବାର ସମ୍ଭାବନା ବି ନିର୍ଭର କରୁଥିଲା । ଏଇଟା ହେଲା ଫକୀରମୋହନଙ୍କ ପ୍ରଧାନ ବକ୍ତବ୍ୟ । କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ‘ଉଡ଼ିଆ ସ୍ଵତନ୍ତ୍ର ଭାଷା ନହେଁ’ ପୁସ୍ତକ ବିରୁଦ୍ଧରେ ବାଲେଶ୍ଵରରେ ଆନ୍ଦୋଳନ ଗଢ଼ିବାକୁ ଯାଇ ଫକୀରମୋହନ ବୁଝେଇ ଦେଲେ ଯେ ଶିକ୍ଷାର ମାଧ୍ୟମ ହିସାବରେ ବଙ୍ଗଳା ଯଦି ସ୍କୁଲରେ ପ୍ରଚଳିତ ହୁଏ, ତେବେ ଓଡ଼ିଆ କିରାଣିମାନଙ୍କ ପାଇଁ କୌଣସି ସରକାରୀ ଚାକିରି ରହିବନାହିଁ । ସବୁ ଅଫିସ ଓ ସରକାରୀ ବିଭାଗରେ କେବଳ ବଙ୍ଗାଳୀ ନିଯୁକ୍ତ ହେବେ । କେବଳ ସେତିକି ନୁହେଁ, ଭାଷାର ମର୍ଯ୍ୟାଦା ଉପରେ ଭାଷୀର ମର୍ଯ୍ୟାଦା ନିର୍ଭର କରେ । ଓଡ଼ିଆମାନେ କ’ଣ କେବଳ ମାଳି ଓ କୁଲି ହୋଇ ରହିବେ ? ସେମାନେ ମାତୃଭାଷା ହରେଇଲେ, ତା’ ସହିତ ସେମାନଙ୍କ ସଂସ୍କୃତି, ସେମାନଙ୍କ ପରମ୍ପରା ଆଉ ସ୍ଵତନ୍ତ୍ର ଜାତି ହିସାବରେ ସେମାନଙ୍କ ଅସ୍ତିତ୍ଵ ବି ହଜିଯିବ । ସ୍କୁଲରେ ବଙ୍ଗଳା ଶିଖିଲେ, ଜନ-ଗଣନା ଅନୁସାରେ ସେମାନେ ବଙ୍ଗାଳୀ ହୋଇଯିବେ; କିନ୍ତୁ ଅନ୍ୟାନ୍ୟ ବଙ୍ଗାଳୀମାନଙ୍କ ଆଖିରେ ଅପାଂକ୍ତେୟ ବୋଲି ବୋଧ ହେବେ । ଲାଭ ଯେତିକି, କ୍ଷତି ସେତିକିରୁ ଅନେକ ବେଶି ହୁଅନ୍ତା ।

 

ଊନବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ଶେଷରେ ଓଡ଼ିଆ ଭାଷାର ଅଧିକାର ନେଇ ଯେଉଁ ସଂଘର୍ଷ ଘଟିଥିଲା, ସେ ବିଷୟରେ ଆତ୍ମ-ଜୀବନ-ଚରିତରେ ଥିବା ଫକୀରମୋହନଙ୍କ ବିକ୍ଷିପ୍ତ ମନ୍ତବ୍ୟରୁ ଏପ୍ରକାର ଚିନ୍ତାଧାରା ଦେଖିବାକୁ ମିଳେ । ସେ ସମୟରେ ବାଲେଶ୍ଵରରୁ ବାହାରୁଥିବା ‘ସମ୍ବାଦବାହିକା’ରେ ତାଙ୍କ ସମ୍ପାଦକୀୟ ଓ ରାସ୍ତାଘାଟରେ ଦିଆ ହୋଇଥିବା ତାଙ୍କ ବକ୍ତୃତା ଏକ ଚିନ୍ତାଧାରା ବହନ କରୁଥିବ । କାହିଁକିନା, ସେଇ ସମୟରେ ଫକୀରମୋହନଙ୍କ ମନରେ ଜାତୀୟତାର ବୀଜ ଗଜୁରିଉଠୁଥିଲା । ଏପରିକି ସେଇ ସମୟରେ ଗୌରୀଶଙ୍କର ଓ ଫକୀରମୋହନଙ୍କ ଚିନ୍ତାଧାରାରୁ ଓଡ଼ିଆ ଜାତୀୟ ଆନ୍ଦୋଳନ ଜନ୍ମଗ୍ରହଣ କରିଥିଲା କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ । ମଧୁସୂଦନ ଦାସଙ୍କ ନେତୃତ୍ଵରେ ପ୍ରକୃତ ରାଜନୀତିକ ସ୍ତରରେ ସଂଗଠିତ ହେବା ଆଗରୁ ଓଡ଼ିଆ ଜାତୀୟ ଆନ୍ଦୋଳନ ମାପକାଠି ଥିଲା ଓଡ଼ିଆଭାଷାର ଛାପାଖାନା ସଂଖ୍ୟା । କ୍ରମେ କ୍ରମେ ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଛାପାଖାନା ସ୍ଥାପିତ ହେଉଥିଲା । ସେଗୁଡ଼ିକର ସଂଖ୍ୟା ଅନୁପାତରେ ଓଡ଼ିଆ ଜାତୀୟତାବାଦର ଶକ୍ତି ମାପି ହେଉଥିଲା । କାହିଁକିନା, ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଜାତୀୟତାବାଦ ଥିଲା ଓଡ଼ିଆ ଭାଷା ଓ ସାହିତ୍ୟଭିତ୍ତିକ । ତା’ର ସଫଳତା ନିର୍ଭର କରୁଥିଲା ସେଇ ଭାଷା ଓ ସାହିତ୍ୟର ଜନପ୍ରିୟତା ଉପରେ । ସେଇଥିପାଇଁ ଓଡ଼ିଆ ଜାତୀୟତାବାଦର ପ୍ରଥମ ପର୍ଯ୍ୟାୟରେ ତା’ର ନେତାମାନେ ହେଲେ ଗୌରୀଶଙ୍କର ଓ ଫକୀରମୋହନଙ୍କ ଭଳି ସାହିତ୍ୟିକ ।

 

ଏଇ ଭାଷା ସଂଘର୍ଷର ଗୋଟିଏ ଅଦ୍ଭୁତ ଫଳ ସ୍ୱରୂପ ଫକୀରମୋହନଙ୍କ ଶୈଳୀ ବଦଳିଗଲା । ଯୌବନକାଳରେ ଫକୀରମୋହନ ବିଦ୍ୟାସାଗରଙ୍କ ଜୀବନଚରିତ ବଙ୍ଗଳାରୁ ଓଡ଼ିଆରେ ଅନୁବାଦ କରିଥିଲେ । ସେଇ ଅନୁବାଦ ଭୂମିକାରେ ଫକୀରମୋହନ ଲେଖି ପକାଇଥିଲେ ଯେ, ଓଡ଼ିଆ ଓ ବଙ୍ଗଳା ଭିତରେ ଖୁବ୍‍ ଅଳ୍ପ ତଫାତ୍‍ ଅଛି । ମୁଷ୍ଟିମେୟ ବିଭକ୍ତି ଓ ପ୍ରତ୍ୟୟ ବଦଳାଇ ଦେଲେ, ବଙ୍ଗଳା ଓଡ଼ିଆ ହୋଇଯାଏ । କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଫକୀରମୋହନଙ୍କ ଏଇ ଉକ୍ତି ତାଙ୍କ ‘ଉଡ଼ିୟା ସ୍ଵତନ୍ତ୍ର ଭାଷା ନୁହେଁ’ ପୁସ୍ତକରେ ଉଦ୍ଧାର କରିଥିଲେ । ଉକ୍ତିଟି କେବଳ ସାଧୁ ଭାଷାରେ ପ୍ରଯୁଜ୍ୟ । ଏଇ ଉକ୍ତି କରିଥିବାରୁ ଫକୀରମୋହନଙ୍କ ଅନୁତାପ ହୋଇଥିବ । କାହିଁକିନା, ସାଧୁ ଭାଷା ଛାଡ଼ି ସେ ‘ଛଅମାଣ ଆଠଗୁଣ୍ଠ’ରେ କେବଳ ଘରୋଇ ଓଡ଼ିଆ ବ୍ୟବହାର କରିଥିଲେ ।

 

(ଘ) ଫକୀରମୋହନଙ୍କ ଜୀବନ-କାବ୍ୟ

 

ଏଇତ ଗଲା ମୋ ସନ୍ଦର୍ଭ ପ୍ରଥମ ଭାଗର କିଛି ଅଂଶ । ଦ୍ଵିତୀୟ ଭାଗରେ ଫକୀରମୋହନଙ୍କ ଗଦ୍ୟରଚନା ବିଶ୍ଳେଷଣ କରିବାର ଚେଷ୍ଟା କରାଗଲା । ପ୍ରଥମ ପରିଚ୍ଛେଦରେ ତାଙ୍କ ଚାରିଟି ଉପନ୍ୟାସର ମର୍ମାଂଶ ଇଂରେଜୀ ଭଷାରେ ଦିଆଗଲା । ତା’ପରେ ଫକୀରମୋହନଙ୍କ ଜୀବନ ଓ ତାଙ୍କ ଗଦ୍ୟ ରଚନା ଭିତରେ କେଉଁ କେଉଁ ସମ୍ପର୍କ ରହିଛି, ଏ ପ୍ରଶ୍ନ କିଛି ଆଲୋଚନା ହେଲା । ତାଙ୍କ ଗଦ୍ୟ ରଚନା ଭିତରେ ଯେଉଁ ତିନିଟି ପ୍ରଧାନ ଚିନ୍ତାଧାରା ଦେଖିବାକୁ ମିଳେ, ତା’ ନେଇ ତିନି ଅଲଗା ଅଲଗା ପରିଚ୍ଛେଦରେ ଆଲୋଚନା କରାଗଲା, ଯଥା–ଇତିହାସ, ଶିକ୍ଷା ଓ ନ୍ୟାୟବିଚାର । ଇତିହାସଭିତ୍ତିକ ପରିଚ୍ଛେଦରେ ପ୍ରଧାନ ପ୍ରତିପାଦ୍ୟ ବିଷୟ ଥିଲା ଯେ, ଫକୀରମୋହନଙ୍କ ଗଦ୍ୟ ରଚନାରୁ କିଛି କିଛି ଅଂଶ ପଢ଼ିଲେ, ମନେହେଉଛି, ଯେପରିକି ମରହଟ୍ଟୀ ଅମଳର ଅରାଜକତା ଯୋଗୁଁ ଓଡ଼ିଆମାନେ ପ୍ରଥମେ ଇଂରେଜ ଶାସନକୁ ସ୍ଵାଗତ କରୁଥିଲେ, ଭାବୁଥିଲେ ଯେ ଆଇନଗତ ସୁଶୃଙ୍ଖଳା ସ୍ଥାପିତ ହେଲେ, ଶାନ୍ତି ଆସିବ । କିନ୍ତୁ ପରେ ଦେଖାଗଲା ଯେ, ଶାନ୍ତି ଆସିଛି ଠିକ୍‍; କିନ୍ତୁ ଦେଶର ଶିଳ୍ପଗୁଡ଼ିକ; ଯଥା ଦେଶୀ ଜାହାଜରେ ମାଲ ଓ ଯାତ୍ରୀ ପରିବହନ, ନିମକ ମାହାଲ ଇତ୍ୟାଦି ଚାଲିଯାଇଛି । ତା’ ସଙ୍ଗେ ସଙ୍ଗେ ଚାଲିଯାଇଛି ଦେଶର ମାନ ଓ ଐଶ୍ଵର୍ଯ୍ୟ ଏବଂ ଇଂରେଜ ସରକାରଙ୍କ ଉପରେ ଜନସାଧାରଣଙ୍କର ସନ୍ତୁଷ୍ଟି । ତା’ପରେ ପାଶ୍ଚାତ୍ୟ ଶିକ୍ଷା ଓ ପାରିବାରିକ ଜୀବନ ଉପରେ ତା’ର କୁଫଳ ବିଷୟରେ କିଛି ଆଲୋଚନା ହେଲା । ତା’ପରେ ଇଂରେଜ ଅମଳରେ ନ୍ୟାୟ ବିଚାର । ଏ ପରିଚ୍ଛେଦରେ ପ୍ରଧାନ ପ୍ରତିପାଦ୍ୟ ବିଷୟ ଥିଲା ଯେ, ଆଇନ ଓ ଧର୍ମ ଭିତରେ ଏକ ଅବିଚ୍ଛେଦ୍ୟ ଯୋଗ ଥିବା ଉଚିତ । ଯଦି ଆଇନ ପରମ୍ପରାଗତ ଧର୍ମ, ନୈତିକତାବୋଧ ଦ୍ଵାରା ସମର୍ଥିତ ନ ହୁଏ, ତେବେ ସେଇ ଆଇନକୁ କେହି ମାନି ଚଳିବେନାହିଁ । ଅର୍ଥାତ୍‍ ଜନସାଧାରଣଙ୍କ ଆଖିରେ ଯଦି ଆଇନ ଲଙ୍ଘନ ପାପ ଭଳି ଘୃଣ୍ୟ ବୋଲି ବୋଧହୁଏ, ତେବେ ଲୋକେ ଆଇନ ମାନି ଚଳିବେ । ନ ହେଲେ, ମାନି ଚଳିବେ ନାହିଁ । ଭାରତବର୍ଷରେ ଇଂରେଜମାନେ ଯେଉଁ ଆଇନପ୍ରଣାଳୀ ପ୍ରଚଳନ କରିଥିଲେ, ତା’ ଜନସାଧାରଣଙ୍କ ନୈତିକବୋଧ ସହିତ ଖାପ ଖାଉ ନ ଥିଲା । ସେଇଥିପାଇଁ ନାନା ପ୍ରକାର କୁଫଳ ଦେଖା ଦେଉଥିଲା । ଏ ଦୃଷ୍ଟିଭଙ୍ଗୀରୁ ଫକୀରମୋହନଙ୍କ ‘ଛଅମାଣ ଆଠଗୁଣ୍ଠ’ ବିଶ୍ଳେଷଣ କଲେ, ଦେଖାଯିବ ଯେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେଇ ଉପନ୍ୟାସ ହେଉଛି ଇଂରେଜଙ୍କ ନ୍ୟାୟ ବିଚାରର ବିଦ୍ରୂପାତ୍ମକ ଚିତ୍ରଣ । ତା’ପରେ ଫକୀରମୋହନଙ୍କ ମୂଲ୍ୟବୋଧ କ’ଣ ଥିଲା ? ଏ ପ୍ରଶ୍ନ ଉଠାଇ ମୁଁ ଦେଖାଇ ଦେବାକୁ ଚେଷ୍ଟା କଲି ଯେ, ସାରା ଜୀବନ ଧରି ଫକୀରମୋହନଙ୍କର ଥିଲା ଗୋଟିଏ ମାତ୍ର ଉଦ୍ଦେଶ୍ୟ । ତା’ହେଲା ସଂସ୍କୃତରୁ ଓଡ଼ିଆରେ ପ୍ରାଚୀନ ଭାରତର ମୂଲ୍ୟବୋଧ ଅନୁବାଦ କରିବା । କେତେବେଳେ ଆକ୍ଷରିକ ଓ କେତେବେଳେ ଭାବାନୁବାଦ । ତାଙ୍କ ରାମାୟଣ, ମହାଭାରତ ଓ ଉପନିଷଦରେ ଅଧିକାଂଶ ସମୟରେ ଆକ୍ଷରିକ ଓ ଉପନ୍ୟାସ ଏବଂ କ୍ଷୁଦ୍ରଗଳ୍ପରେ ଭାବାନୁବାଦ ଲକ୍ଷ୍ୟ କରାଯାଏ । ଏ ସବୁକିଛି ନେଇ ବର୍ତ୍ତମାନ ବିସ୍ତୃତ ଆଲୋଚନା କରିବାକୁ ଗଲେ, ଅନେକ ସମୟ ଲାଗିବ । ସେଇଥିପାଇଁ କେବଳ ଗୋଟିଏ ପ୍ରସଙ୍ଗ ଧରାଯାଉ । ତା’ ହେଉଛି ଫକୀରମୋହନଙ୍କ ଜୀବନ ଓ ସାହିତ୍ୟ ଭିତରେ ଥିବା ସମ୍ପର୍କ ।

 

ଫକୀରମୋହନଙ୍କ ଗଦ୍ୟରଚନା ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ଭାଗରେ ପଡ଼ିବ ଊଣେଇଶ ‘ତେର ଜୁନ ମାସ ଆଗରୁ ଲେଖା ହୋଇଥିବା ରଚନାଗୁଡ଼ିକ । ଦ୍ଵିତୀୟ ଭାଗରେ ପଡ଼ିବ ଊଣେଇଶ’ ତେର ଜୁନ ମାସ ପରର ରଚନାଗୁଡ଼ିକ । ଆଗ ରଚନାଗୁଡ଼ିକରେ କେବଳ ଦୁଇ ଦଳର ପ୍ରଧାନ ଚରିତ୍ର ଦେଖିବାକୁ ମିଳନ୍ତି: ଭଲ ଓ ଖରାପ । ତାଙ୍କ ଭଲ ଚରିତ୍ରଗୁଡ଼ିକର ପ୍ରତିନିଧି ସ୍ଥାନୀୟ ଦୃଷ୍ଟାନ୍ତ ହେଉଛନ୍ତି ରେବତୀ (୮) କ୍ଷୁଦ୍ରଗଳ୍ପ ଶ୍ୟାମବନ୍ଧୁ ମହାନ୍ତି ଓ ଛଅମାଣ ଆଠଗୁଣ୍ଠ (୯) ଉପନ୍ୟାସର ସାଆନ୍ତାଣୀ । ଶ୍ୟାମବନ୍ଧୁର ଗୁଣ ମଧ୍ୟରେ ରହିଛି ପୌରଣିକ ସାହିତ୍ୟ ପ୍ରତି ତା’ର ଅନୁରାଗ, ଧର୍ମବିଶ୍ଵାସ, ସାଧୁତା ଏବଂ ନିର୍ଭରଶୀଳତା । ସାଆନ୍ତାଣୀଙ୍କର ଗୁଣାବଳୀ ଥିଲା ତାଙ୍କର ପାତିବ୍ରତ୍ୟ, ଲଜ୍ଜାଶୀଳତା, ଧୈର୍ଯ୍ୟ, ସହିଷ୍ଣୁତା ଏବଂ ଗରିବ, ରୋଗୀ ଓ ରଙ୍କୀ-ଦୁଃଖୀମାନଙ୍କ ପ୍ରତି ତାଙ୍କର ଦାନଶୀଳତା । ଫକୀରମୋହନଙ୍କ ଖରାପ ଚରିତ୍ରଗୁଡ଼ିକର ପ୍ରତିନିଧି ସ୍ଥାନୀୟ ଦୃଷ୍ଟାନ୍ତ ହେଉଛନ୍ତି ଛଅମାଣ ଆଠଗୁଣ୍ଠର ମଙ୍ଗରାଜ ଓ ଚମ୍ପା । ମଙ୍ଗରାଜ ଭଳି ଖରାପ ପୁରୁଷ ଚରିତ୍ରଗୁଡ଼ିକର ପ୍ରଧାନ ପ୍ରଧାନ ବୈଶିଷ୍ଟ୍ୟ ହେଲା ବାପ-ମାଙ୍କ ପ୍ରତି ଅବାଧ୍ୟତା; ଲୋଭ, କୃପଣତା, ଧୂର୍ତ୍ତତା ଓ ଠକାମି; ନିଜ ବିବାହିତ ସ୍ତ୍ରୀଙ୍କ ପ୍ରତି ବିଶ୍ଵାସଘାତକତା ଏବଂ ମାଲିକଙ୍କ ପ୍ରତି ନିମକହାରାମି । ଚମ୍ପା ଭଳି ଖରାପ ସ୍ତ୍ରୀ ଚରିତ୍ରଗୁଡ଼ିକ ଥିଲେ ଅଳସ, ଅହଙ୍କାରୀ, ଲୋଭୀ, ଲଜ୍ଜାହୀନା, ଅବାଧ୍ୟା ଏବଂ ପତିତା । ସଂକ୍ଷେପରେ କହିବାକୁ ଗଲେ, ଊଣେଇଶ ତେର ଜୁନ ମାସ ଆଗରୁ ଲେଖା ହୋଇଥିଲା । ଫକୀରମୋହନଙ୍କ ଗଦ୍ୟ ରଚନାଗୁଡ଼ିକରେ ତାଙ୍କ ଭଲ ଓ ଖରାପ ଚରିତ୍ରଗୁଡ଼ିକ ହେଉଛନ୍ତି ସମସାମୟିକ ସମାଜର ଭଲ ଓ ଖରାପ ଲୋକମାନଙ୍କ ପ୍ରତିନିଧି ମାତ୍ର ।

 

(8) Oct. 1898, (9) Oct. 1897

 

ଏ ସିଧାସଳଖ ଚରିତ୍ର ଚିତ୍ରଣ ଦେଖିଲେ ଜଣାଯାଇପାରେ, ଯେପରିକି ମନସ୍ତତ୍ଵ ପ୍ରତି ଫକୀରମୋହନଙ୍କର କୌଣସି ଆଗ୍ରହ ନ ଥିଲା । କିନ୍ତୁ ସେ ଧାରଣାଟା ଭୁଲ । ଯାହା ହେଉ, ନୀତିବିତ୍‍ ହିସାବରେ ତାଙ୍କର ମନଯୋଗ ଓଡ଼ିଆ ସମାଜର ହିତାହିତ ଦିଗ ଉପରେ କେନ୍ଦ୍ରୀଭୂତ ହେଲା । ଏଇ ଏକମାତ୍ର ଦିଗ ଉପରେ ତାଙ୍କର ସବୁ ମନ ଶକ୍ତି କେନ୍ଦ୍ରୀଭୂତ ହୋଇଥିବାରୁ ପ୍ରଧାନ ଚରିତ୍ରଗୁଡିକୁ ଚିତ୍ରଣ କରିବାକୁ ଯାଇ ଫକୀରମୋହନ ସେମାନଙ୍କୁ ଏଇ ମୁଷ୍ଟିମେୟ ଭଲ କିମ୍ବା ଖରାପ ବୈଶିଷ୍ଟ୍ୟ ଦେଉଥିଲେ । କାହିଁକିନା, ତାଙ୍କର ଉଦ୍ଦେଶ୍ୟ ହେଲା ଏତିକିମାତ୍ର ଦେଖାଇ ଦେବା, ମଣିଷର ମନ କେମିତି ଗଢ଼ିଉଠେ ଏବଂ କେଉଁ କେଉଁ ସାମାଜିକ ଶ୍ରେଣୀଗତ, ସାଂସ୍କୃତିକ, ଆର୍ଥନୀତିକ ଓ ରାଜନୀତିକ ପରିସ୍ଥିତି ଯୋଗୁଁ ଭଲ ଗୁଣ ଫୁଟିଉଠେ କିମ୍ବା ଲୁଚି ହୋଇ ପଡ଼େ । ଅର୍ଥାତ୍‍ ଫକୀରମୋହନଙ୍କ ଗଦ୍ୟରଚନା ସାମୂହିକ ଭାବରେ ବିଚାର କଲେ ଜଣାଯାଉଛି ଯେ ତାଙ୍କର ଅଛି ଗୋଟିଏ ମାତ୍ର ଚରିତ୍ର–ମଣିଷ–ଏବଂ ଗୋଟିଏ ମାତ୍ର PLOT–ମଣିଷର ମନ କେମିତି ଭଲ କିମ୍ବା ଖରାପ ଦିଗକୁ ଗଡ଼ିଯାଉଛି ।

 

ଛଅମାଣ ଆଠଗୁଣ୍ଠରେ ଫକୀରମୋହନ ଲେଖିଯାଇଛନ୍ତି–(୧୦) “... ମନୁଷ୍ୟ ମନର ମୂଳ ଉପାଦାନ ସମାନ ଥିଲେ ମଧ୍ୟ ବାହ୍ୟ ପ୍ରକୃତି ଅସାମଞ୍ଜସ୍ୟମୟ । କୋଟି କୋଟି ମନୁଷ୍ୟ ମଧ୍ୟରେ ଜଣକ ରୂପ ସହିତ ଅନ୍ୟ ଜଣକ ରୂପର ମିଳନ ନାହିଁ, ମାନସ ପ୍ରକୃତି ମଧ୍ୟ ସେହିପରି । କାହାରି କାହାରି କୌଣସି ଚିତ୍ତବୃତ୍ତି ବଳବତୀ, କାହାର ଦୁର୍ବଳା, କାହାର କାହାର ଚିରନିଦ୍ରିତା । ସମୟ ବିଶେଷରେ ଘଟନାଚକ୍ର ପରିବର୍ତ୍ତରେ ନିଦ୍ରିତାବୃତ୍ତି ସମସ୍ତ ଜାଗରିତ ହୋଇ ଉଠିବାର ଦେଖାଯାଏ । ମଦ୍ୟପ ଦୁରାଚାର ଜଗାଇ ମାଧାଇ ପରମବୈଷ୍ଣବ ହେବେ କିଏ ଜାଣିଥିଲା ? ଆଉ ଖ୍ରୀଷ୍ଟ ବିଦ୍ଵେଷୀ ଅତ୍ୟାଚାରୀ ପାଉଳ ଆଜି ପୂଜନୀୟ ମହର୍ଷି ପଦବାଚ୍ୟ । ଗାଧିନନ୍ଦନ ରାଜର୍ଷି ବିଶ୍ଵାମିତ୍ରଙ୍କର ସହସ୍ର ସହସ୍ର ଯୁଗବ୍ୟାପୀ ତପସ୍ୟା ତତୋଽଧିକ ଜ୍ଵଳନ୍ତ ବ୍ରହ୍ମନିଷ୍ଠା ମେନକାର ନିମେଷ ମାତ୍ର ଅପାଙ୍ଗ ଦୃଷ୍ଟିରେ ଟଳିଗଲା । ......ଏପରି ହଠାତ୍‍ ପରିବର୍ତ୍ତନର ମୂଳ କାରଣ ଘଟନା ଏବଂ ସଂସର୍ଗ......” ।

 

(୧୦) ଫକୀରମୋହନ ଗ୍ରନ୍ଥାବଳୀ, ଦ୍ୱିତୀୟ ସଂସ୍କରଣ, କଟକ ୧୯୬୩, ପୃ୬୦ଷ୍ଠା ।

 

ଏଇ ଉଦ୍ଧୃତିରେ ଦେଖିବାକୁ ମିଳେ ଫକୀରମୋହନଙ୍କର ପ୍ରାୟ ସବୁ ଗଦ୍ୟ ରଚନାର ମୌଳିକ PLOT (ଗଳ୍ପାଂଶ) । ସେଇ ମୌଳିକ PLOT ହେଉଛି: ଦିନେ ଏପରି ଜଣେ ମଣିଷ ଥିଲା, ଯାହାର ଜୀବନଯାପନ ପ୍ରଣାଳୀ ଠିକ୍‍ ଥିଲା କିମ୍ବା ବେଠିକ୍‍ ଥିଲା । ଏଇ କାରଣରୁ ସେ ବିପଦରେ ପଡ଼ିଲା ଏବଂ ସେ ଯଦି ବଞ୍ଚି ରହିଲା, ତେବେ ତା’ର ଜୀବନଯାପନ ପ୍ରଣାଳୀ ବଦଳିଗଲା ।

 

ଫକୀରମୋହନଙ୍କ କିଛି ଗଳ୍ପ ଏତେ ସିଧା–ସରଳ ଯେ PLOTଟା ସମ୍ପୂର୍ଣ୍ଣ ଭାବରେ ଫୁଟି ଉଠିନାହିଁ । ଉଦାହରଣ ସ୍ୱରୂପ: ମୌନା ମୌନୀ, (୧୧) ବାଲେଶ୍ଵରୀ ରାହାଜାନୀ, (୧୨) ଏବଂ କମଳାପ୍ରସାଦ ଗୋରାପ (୧୩) । ଏଇ ଗଳ୍ପଗୁଡ଼ିକର ଶେଷ ଦିଗରେ ପ୍ରଧାନ ଚରିତ୍ରଗୁଡ଼ିକ କେବଳ ମାତ୍ର ବିପଦରେ ପଡ଼ନ୍ତି । ଅର୍ଥାତ୍‍ ପୁଲିସ ସେମାନଙ୍କୁ ଧରି କାରାଗାରରେ ରଖନ୍ତି । ଆଉ କିଛି କିଛି ଗଳ୍ପରେ ପ୍ରଧାନ ଚରିତ୍ରମାନେ ବିପଦରେ ପଡ଼ି ବଞ୍ଚି ରହି ନ ଥିଲେ । ମଙ୍ଗରାଜ ଦ୍ଵାରା ଲୁଣ୍ଠିତ ହୋଇଥିବା ଭଗିଆ ମଙ୍ଗରାଜର ନାକ କାମୁଡ଼ି ପକାଏ । ତା’ପରେ ମଙ୍ଗରାଜ ତା’ ଦ୍ଵାରା ଠକା ହୋଇଥିବା ଡମମାନଙ୍କ ହାତରେ ପଡ଼ି ଭୀଷଣ ମାଡ଼ ଖାଇ ଶେଷ ପର୍ଯ୍ୟନ୍ତ ମରିଯାଏ । ଚମ୍ପା ବି ତା’ ଦ୍ଵାରା ଲାଞ୍ଛିତ ହୋଇଥିବା ଗୋବିନ୍ଦାର ଖୁରରେ କାଟିକୁଟି ହୋଇ ମରିଯାଏ, ଏବଂ ଠକ ଧୂଳିଆବାବା (୧୪) ନିଜ ଠକାମିର ହୋମାଗ୍ନିରେ ପଡ଼ି ପୋଡ଼ି ହୋଇ ମରେ । କିନ୍ତୁ ଫକୀରମୋହନଙ୍କର ଆଉ ଅନେକ ପ୍ରଧାନ ଚରିତ୍ର ବିପଦରେ ପଡ଼ିଲେ ବି ବଞ୍ଚିଯାଆନ୍ତି ଏବଂ ସେମାନଙ୍କ ଜୀବନଯାପନ ପ୍ରଣାଳୀ ବଦଳିଯାଏ । ପେଟେଣ୍ଟ ମେଡିସିନ୍‍ (୧୫) ମଦ ଓ ନିଶାଖୋର, ଚନ୍ଦ୍ରମଣି ପଟ୍ଟନାୟକ ସ୍ତ୍ରୀଙ୍କ ଛାଞ୍ଚୁଣିର ମାଡ଼ ଖାଇ ଆଦର୍ଶ ସ୍ଵାମୀ ହୋଇଯାଆନ୍ତି । ସୁନା ବୋହୂର (୧୬) ଅହଙ୍କାରୀ ଅଳସୁଆ ବୋହୂ ରନିମା ଶାଳୀ ଚମ୍ପା ହାତରୁ ଅପମାନ ପାଇ ଆଦର୍ଶ ଗୃହଲକ୍ଷ୍ମୀ ହୋଇଯାଆନ୍ତି । ମାମୁଁ (୧୭)ର ନାଜର ନଟବର କାରାଦଣ୍ଡିତ ହୋଇ ଅନୁତାପରେ ଅଭିଭୂତ ହୁଅନ୍ତି । ଅଳ୍ପ ସମୟ ପାଇଁ ଭଗବାନଙ୍କ ଉପରେ ତାଙ୍କର ବିଶ୍ଵାସ ଫେରିଆସେ । କିନ୍ତୁ ତା’ପରେ ତାଙ୍କ ପାପର ବିଭୀଷଣତା ବିଷୟରେ ସଚେତନ ହୋଇ ସେ ପାଗଳ ହୋଇଯାଆନ୍ତି । ଶେଷରେ ପ୍ରାୟଶ୍ଚିତ୍ତ (୧୮)ର ଗୋବିନ୍ଦ ଭୀଷଣ ମାଡ଼ ଖାଇ ବଦଳିଯାଆନ୍ତି । ଆଗରେ ରଙ୍ଗିନ ସ୍ଵପ୍ନ ଦେଖି ଜିଦଖୋର ହୋଇ ସେ ବାପ ମାଙ୍କ ଆଶାଆକାଂକ୍ଷା ପଦ ତଳେ ଦଳି ଯାଉଥିଲେ । କିନ୍ତୁ ମାଙ୍କ ମୃତ୍ୟୁ ଓ ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ସେ ନିଷ୍ଠାବାନ ସମାଜସେବକ ହୋଇଯାଆନ୍ତି ।

 

(11) June 1907, (12) July 1907, (13) May 1913, (14) FEB 1913, (15) SEPT 1913, (16) June 1913, (17) 1913, (18) 1915

 

ଯେତେ ଦୃଷ୍ଟାନ୍ତ ଏପର୍ଯ୍ୟନ୍ତ ଉଲ୍ଲିଖିତ ହୋଇଛି, ସେ ସମସ୍ତଙ୍କ ଜୀବନଯାପନ ପ୍ରଣାଳୀ ଆଗରେ ବେଠିକ୍‍ ଥିଲା । କିନ୍ତୁ ଶେଷ ପର୍ଯ୍ୟନ୍ତ ସେଇଥିପାଇଁ ଦୁଃଖଦୁର୍ଦ୍ଦଶା ଭୋଗ କରିଥିବାରୁ ସେମାନଙ୍କର ଚରିତ୍ର ବଦଳିଗଲା ଏବଂ ସେମାନେ ଭଲ ମଣିଷ ହୋଇଗଲେ । ଫକୀରମୋହନଙ୍କର ଗଦ୍ୟ ରଚନାରେ ଯେତେବେଳେ ତାଙ୍କ ଚରିତ୍ରଗୁଡ଼ିକର ବ୍ୟକ୍ତିତ୍ଵ ବଦଳିଯାଏ, ସେତେବେଳେ ସାଧାରଣତଃ ସେମାନେ ଭଲ ମଣିଷ ହୋଇଯାଆନ୍ତି ।କିନ୍ତୁ ଫକୀରମୋହନଙ୍କର ମୌଳିକ PLOTର ଯେଉଁ formula ଆଗରେ ଉଲ୍ଲିଖିତ ହେଲା, ସେଥିରେ ଓଲଟା ଦିଗରେ ବଦଳିଯିବାର ସମ୍ଭାବନା ବି ରହିଯାଇଥିଲା । ଓଲଟା ଦିଗରେ ବଦଳିଯାଇଥିବାର ଦୃଷ୍ଟାନ୍ତ ହେଉଛି “ଡାକମୁନ୍‍ସି (୧୯)ର ଗୋପାଳସିଂହ । ଗଳ୍ପର ଆରମ୍ଭରେ ସେ ହୁଏତ ବାଧ୍ୟ ସନ୍ତାନ ଥିଲା; କିନ୍ତୁ ଶିକ୍ଷା ଫଳରେ ସେ ବାପାଙ୍କଠାରୁ ଉଚ୍ଚପଦସ୍ଥ ହୋଇଗଲା । ତେଣୁ ସେ ମାର୍ଜିତ, ପାଶ୍ଚାତ୍ୟମୁଖୀ ଲୋକମାନଙ୍କ ସହିତ ମିଶିବାକୁ ଆରମ୍ଭ କଲା । ନୂଆ ବନ୍ଧୁମାନଙ୍କ ସହିତ ମିଶିଥିବାବେଳେ ବାପାଙ୍କ ମରହଟ୍ଟୀ କାଳର ପୋଷାକ ଓ ବିଲାତି ଚାଲି-ଚଲଣ ବିଷୟରେ ଅଜ୍ଞତା ଯୋଗୁଁ ସେ ଲଜ୍ଜାରେ ମରିଯାଉଥିଲା । ଏଇଥିଯୋଗୁଁ ତା’ର ଲଜ୍ଜାବୋଧ ଏତେ ପ୍ରବଳ ହୋଇଉଠିଲା ଯେ, ଶେଷରେ ସେ ବାପାଙ୍କୁ ଘରୁ ତଡ଼ିଦେଲା । ଠିକ୍‍ ସେମିତି ଭଗିଆ ଆଗରେ ବେଶ୍‍ ଶାନ୍ତ, ନିରୀହ ପ୍ରକୃତିର ଲୋକ ଥିଲା । କିନ୍ତୁ ମଙ୍ଗରାଜର ଠକାମି ଯୋଗୁଁ ପାଗଳ ହୋଇଯାଇ ସେ ଶେଷରେ ମଙ୍ଗରାଜକୁ ପ୍ରବଳ ଭାବରେ ଆକ୍ରମଣ କରି ତା’ର ନାକ କାମୁଡ଼ି ଦେଲା ।

 

ତେଣୁ ପୂର୍ଣ୍ଣାଙ୍ଗ ରୂପରେ ଫକୀରମୋହନଙ୍କ ମୌଳିକ PLOT ହେଉଛି ପରିସ୍ଥିତିକରଣ (......) condition ନାମକ ଗୋଟିଏ ମନସ୍ତାତ୍ତ୍ଵିକ ଚିକିତ୍ସାର ସାହିତ୍ୟିକ ରୂପ । ଉଦାହରଣ ସ୍ୱରୂପ ପେଟେଣ୍ଟ ମେଡିସିନରେ ନିଶାଖୋରକୁ ଛାଞ୍ଚୁଣି ଦେଇ ମାରିବା ହେଉଛି Aversion Therapyର ଗୋଟିଏ ସିଧା-ସରଳ ନମୁନା । ଏଇ Aversion Therapy ବା ଘୃଣା ଉଦ୍ଦୀପନା ଚିକିତ୍ସାର ଉଦ୍ଦେଶ୍ୟ ହେଉଛି ଏପରି ପରିସ୍ଥିତି ସୃଷ୍ଟି କରିବା, ଯାହା ଭିତରେ ରୋଗୀର ନିଶା ଗୋଟାଏ ଦୁଃଖ-ଦାୟକ ଅଭିଜ୍ଞତା ସହିତ ଜଡ଼ିତ ହୋଇପଡ଼େ ଏବଂ ସେଇଥିପାଇଁ ନିଶାଖୋର ନିଶା ଛାଡ଼ି ଦିଏ । ଫକୀରମୋହନଙ୍କର ସବୁ ଗଳ୍ପ ଏଇ ମୌଳିକ ଢାଞ୍ଚାରେ ଢଳାଯାଇନାହିଁ । କିନ୍ତୁ ସେଗୁଡ଼ିକ ଭିତରେ ତଫାତ୍‍ ଦେଖିବାକୁ ମିଳୁଥିବା ସତ୍ତ୍ୱେ, ଏଇ ମନସ୍ତାତ୍ତ୍ଵିକ ପରିସ୍ଥିତିକରଣ ପ୍ରଣାଳୀ ଲକ୍ଷ୍ୟ କରାଯାଇ ପାରେ । ଧରନ୍ତୁ, ବୀରେଇ ବିଶାଳ (୨୦) ଓ ସଭ୍ୟ ଜମିଦାର (୨୧) । ଦୁଇଟିରେ ଦୁଇଟି ଅଲଗା ଅଲଗା ଗଳ୍ପ ଅଛି । ବୀରେଇ ବିଶାଳର ଦ୍ଵିତୀୟ ଗଳ୍ପ ମୌଳିକ ଢାଞ୍ଚାରେ ଢଳାଗଲା ଏବଂ ପରେ ମାଧ ମହାନ୍ତିଙ୍କ କନ୍ୟା ସୁନାରେ ରୂପାନ୍ତରିତ ହେଲା । ବୀରେଇ ବିଶାଳର ପ୍ରଥମ ଭାଗ ଦେଖାଇ ଦିଏ, କେମିତି ବୀରେଇ ପିଲାଦିନରୁ କାମରେ ଲାଗି କ୍ରମେ କ୍ରମେ ଭଲ କୃଷକ ହୋଇଗଲା କିନ୍ତୁ ତା’ର ଭାଇ ବାପ-ମାଙ୍କ ପାଖରୁ ପ୍ରଶ୍ରୟ ପାଉ ପାଉ ଶେଷରେ ଅକର୍ମଣ୍ୟ ହୋଇପଡ଼ିଲା । ସଭ୍ୟ ଜମିଦାରର ଉତ୍ତୟ ଭାଗ ଏକ ପ୍ରତିପାଦ୍ୟ ବିଷୟ ପ୍ରତିପାଦନ କରେ । ପ୍ରଥମ ଭାଗରେ ଦେଖାଯାଏ, କେମିତି ଜଣେ ଅନାଥ ପିଲା ମାଲିକଙ୍କୁ ଅନୁକରଣ କରୁ କରୁ ଶେଷରେ ବୁଦ୍ଧିମାନ ବଣିକ ହୋଇଯାଏ ଏବଂ ଦ୍ଵିତୀୟ ଭାଗରେ ଦେଖାଯାଏ, କେମିତି ବଣିକର ପୁଅ ଧନୀ ପରିବାରରେ ଜନ୍ମଗ୍ରହଣ କରି ଓ ପାଶ୍ଚାତ୍ୟ ଶିକ୍ଷା ପାଇ ସର୍ବହରା ହୋଇଯାଏ ।

 

(19) Sept 1912, (20) Oct, 1913

 

(21) March 1914 ଏ ସବୁ ତାରିଖ ଡଃ ନଟବର ସାମନ୍ତରାୟଙ୍କ ବ୍ୟାସକବି ଫକୀରମୋହନ ପୁସ୍ତକର ଅବଶିଷ୍ଟାଂଶରୁ ନିଆଯାଇଛି ।

 

ପରବର୍ତ୍ତୀ ଆଲୋଚନା ମୋ’ ପକ୍ଷରେ ଟିକିଏ ଜଟିଳ ହୋଇପାରେ । ଫକୀରମୋହନଙ୍କ ମନ ବିଷୟରେ କିଛି କହିବାକୁ ଚାହେଁ । ଏଟା ଗୋଟିଏ ଅତି ସୂକ୍ଷ୍ମ ବ୍ୟାପାର । ଠିକ୍‍ ଭାଷା ଦେଇ ପାରିବି କି ନାହିଁ, ସନ୍ଦେହ । ଯାହା ହେଉ, ଚେଷ୍ଟା କରାଯାଉ ।

 

ମଣିଷ ମନରେ ଦୁଇଟି ପ୍ରଧାନ ସ୍ତର ଅଛି–ଅବଚେତନ ଓ ସଚେତନ । ସାଧାରଣତଃ ଆମେ ଭାବି ନେଉ ଯେ, ସମସ୍ୟା ସମାଧାନ କରିବାକୁ ଯାଇ ଆମ ସଚେତନ ମନ ସମସ୍ୟାଟିକୁ ସବୁ ଦିଗରୁ ବିଚାର କରି ଘୂରାଇ ଫେରାଇ ବିଶ୍ଳେଷଣ କରି ଶେଷ ପର୍ଯ୍ୟନ୍ତ ସମାଧାନ କରେ । କିନ୍ତୁ ଅନେକ ସମୟରେ ସମାଧାନଟି ଆପେ ଆସେ । ଆମେ ବିଛଣାରେ ପଡ଼ିଥାଉ । କଡ଼ ଲେଉଟାଉ ଲେଉଟାଉ ନିଦ ଠିକ୍‍ ଆସୁ ନ ଥାଏ । ମନ ଭିତରେ ସମସ୍ୟାଟା ତଥାପି ଘୂରି ବୁଲୁଥାଏ । ହଠାତ୍‍ ଚାହିଁ ଉଠି ଆମେ କହିଉଠୁଁ ହଁ, ପାଇଲୁ ପାଇଲୁ । ସମସ୍ୟାଟା ସମାଧାନ ହୋଇଗଲା । ଏଇଟା ହେଉଛି ଅବଚେତନ ମନର କ୍ରିୟା । ସେଇ ଅବଚେତନ ମନ ସହଜରେ ବୁଝି ହୁଏନାହିଁ । ସେଇଥିପାଇଁ ଅତୀତରେ ଲୋକେ ଭାବୁଥିଲେ ଯେ, ସ୍ଵପ୍ନରେ ଭଗବାନଙ୍କର ବାଣୀ ଶୁଣାଯାଏ । ତେଣୁ ସାରଳା ଦାସ ଭାବିନେଉଥିଲେ ଯେ, ତାଙ୍କର ଅତି ପୂଜନୀୟ ମା ସାରଳା ରାତି ପର ରାତି ମହାଭାରତ ଡାକୁଥିଲେ ଏବଂ ସେ ନିଜେ ସକାଳେ ତାଙ୍କର ଡାକିଥିବା କଥା ଲିପିବଦ୍ଧ କରୁଥିଲେ ମାତ୍ର । ଆଉ ସେଇଥିପାଇଁ ବଳରାମ ଦାସଙ୍କ ଯୋଗୁଁ ହଇରାଣ ହେଉଥିବା ରାଜା ପ୍ରତାପରୁଦ୍ର ଭାବି ନେଉଥିଲେ ଯେ, ସ୍ଵପ୍ନରେ ଜଗନ୍ନାଥଙ୍କର ଆଦେଶ ତାଙ୍କ କାନରେ ବାଜୁଥିଲା । ଅର୍ଥାତ୍‍ ଦିନବେଳେ ଚାହିଁଥିବା ସମୟରେ ଆମ ସଚେତନ ମନ ଜୀବନର ଜରୁରୀ ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରେ; କିନ୍ତୁ ଅନେକ ସମୟରେ ସେଇ ସମସ୍ୟାର ସମାଧାନ ଆସେ ଅବଚେତନ ମନରୁ ।

 

ଯେପରି ମନର ଉଭୟ ସ୍ତରରେ ସଚେତନ ଓ ଅବଚେତନ ଭାବରେ ସମସ୍ୟା ସମାଧାନ ହୋଇଯାଏ, ଠିକ୍‍ ସେପରି ଏଇ ଦୁଇଟି ସ୍ତରରେ ମଣିଷ ଶିକ୍ଷା ପାଏ । ଅବଚେତନ ଶିକ୍ଷା ପ୍ରାୟ ପଶୁ ପରି ପ୍ରବୃତ୍ତିଗତ । ଜନ୍ମଦିନଠାରୁ ଯାହା କିଛି ଆମେ ଦେଖୁଁ, ଶୁଣୁଁ, ଛୁଉଁ, ଚାଖୁଁ, ଶୁଙ୍ଘୁ, ସେସବୁ ଅଭିଜ୍ଞତା ଆମ ଅବଚେତନ ମନ ଦ୍ଵାରା ବିଶ୍ଳେଷଣ କରାଯାଏ ଏବଂ ସେ ବିଷୟରେ ଆମ ମନରେ ନାନା ଗଭୀର ବଦ୍ଧ-ମୂଳ ନିୟମ ତିଆରି ହୁଏ । ଏଇ ସମୟରେ ଆମର ମାତୃଭାଷା ଅନେକାଂଶରେ ଶିଖାଯାଏ; ରୁଚି, ସୌନ୍ଦର୍ଯ୍ୟ, ନୀତି, ଓ ମୂଲ୍ୟ ବିଷୟରେ ଆମର ଯେଉଁ ବୋଧ ପରେ ଗଢ଼ି ଉଠିବ, ତା’ର ମୂଳ ପତ୍ତନ ଏଇ ସମୟରେ ହୁଏ; ଏବଂ ତା’ଛଡ଼ା ଆମର ମାନସିକ ବ୍ୟକ୍ତିତ୍ଵର ପ୍ରଧାନ ରୂପରେଖ ଏଇ ସମୟରେ ଗଢ଼ି ଉଠିବାକୁ ଆରମ୍ଭ କରେ । ସେଇଥିପାଇଁ ଏଇ ସମୟଟା ହେଉଛି ଜୀବନର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସମୟ । କାହିଁକିନା, ଏଇ ସମୟରେ ମନରେ ଯେଉଁ ରେଖାପାତ ହୁଏ, ତା’ ପରବର୍ତ୍ତୀ ଜୀବନରେ ପ୍ରାୟ କେବେହେଲେ ଲିଭିଯାଏ ନାହିଁ । କିନ୍ତୁ ଦୁଃଖର କଥା,ଏ ସବୁରୁ ଅଧିକାଂଶ ଘଟେ–ହେତୁ ପାଇଲା ଆଗରୁ । ଅର୍ଥାତ୍‍ ଏ ସମୟର କଥା ଆମେ ସଚେତନ ଭାବରେ ମନେପକାଇ ପାରୁନାହିଁ ।

 

ଏଇତ ଗଲା ସଚେତନ ଓ ଅବଚେତନ ମନର କଥା । ବର୍ତ୍ତମାନ ଫକୀରମୋହନଙ୍କ ପ୍ରସଙ୍ଗକୁ ଫେରିଯିବା ।ଲେଖକ ଲେଖିବାକୁ ବସିଲେ, କ’ଣ ହୁଏ ? ସେତେବେଳେ ତାଙ୍କ ଦେହରେ ଲିଭାଇଥିବା ଅଭିଜ୍ଞତା; ଅନ୍ୟମାନଙ୍କ ପାଖରୁ ଶୁଣିଥିବା କଥା; ତାଙ୍କ ରୁଚି, ସୌନ୍ଦର୍ଯ୍ୟ, ନୀତି ଓ ମୂଲ୍ୟ–ବିଷୟକ ବୋଧ, ଏବଂ ସ୍କୁଲ କଲେଜରେ ତାଙ୍କର ଅର୍ଜନ କରିଥିବା ଜ୍ଞାନ, ଅର୍ଥାତ୍‍ ସଚେତନ ଓ ଅବଚେତନ ଭାବରେ ତାଙ୍କର ଯେତିକି ଶିଖିଥିବା ଜ୍ଞାନ ଅଛି, ସେସବୁ ମାଲ ମସଲା ନେଇ ସେ ଗଳ୍ପ ଲେଖିବାକୁ ବସେ । ଆଉ ଲେଖୁ ଲେଖୁ ତାଙ୍କ ପେଟରେ ଯାହା କିଛି ଅଛି, ସବୁ ବାହାରିପଡ଼େ । ଅର୍ଥାତ୍‍ ଗଳ୍ପ ଲେଖିବା ଓ ମନସ୍ତତ୍ଵବିତ୍‍ମାନେ ଯାହାକୁ କୁହନ୍ତି FREE ASSOCIATION ବା ଯାହା ମନେ ଆସେ, ତାହା କହିପକାଇବା ପ୍ରାୟ ଏକ ଧରଣର କ୍ରିୟା ।

 

ତା’ହେଲେ ଫକୀରମୋହନଙ୍କ ସାହିତ୍ୟ ବିଶ୍ଳେଷଣ କରିବାକୁ ଗଲେ, ପ୍ରଥମେ ଆମେ ଦେଖୁ ଦୁଇ ସ୍ତର, ସଚେତନ ଓ ଅବଚେତନ ସ୍ତର । ପ୍ରଥମ ସ୍ତରରେ ମିଳେ ତାଙ୍କ ସବୁ ସଚେତନ ମତାମତ, ତାଙ୍କର ସମସାମୟିକ ଦେଶ, କାଳ, ପାତ୍ର ଅର୍ଥାତ୍‍ ତାଙ୍କ ଦେଶରେ ଇତିହାସ, ସମାଜ, ଅର୍ଥନୀତି, ରାଜନୀତି, ଶିକ୍ଷା, ସଭ୍ୟତା ଓ ସଂସ୍କୃତି ବିଷୟରେ ତାଙ୍କ ସଚେତନ ଅଭିଜ୍ଞତା-ଭିତ୍ତିକ ମତାମତ । କିନ୍ତୁ ଦ୍ଵିତୀୟ ଅବଚେତନ ସ୍ତରରେ ଦେଖିବାକୁ ମିଳେ ମଣିଷର ନୈତିକ ବୋଧର ବିବର୍ତ୍ତନ । ଏଇଟା ହେଉଛି ତାଙ୍କ ଚିନ୍ତା କେନ୍ଦ୍ର ବିନ୍ଦୁ । ଏହାର ଚାରିପାଶେ ବାକି ସବୁ ଘୂରିଯାଏ । କାହିଁକିନା, ଏଇଟାହିଁ ତାଙ୍କର BASIC PLOTର ମର୍ମ ଏବଂ ଫକୀରମୋହନଙ୍କ ଦୃଷ୍ଟିରୁ କିଛି ସଂସ୍କାର କରିବାକୁ ହେଲେ, ରାଜନୀତିକ, ଆର୍ଥନୀତିକ, ଶିକ୍ଷାଗତ କିମ୍ବା ଆଉ ଯେକୌଣସି କ୍ଷେତ୍ରରେ ଏଇଠୁ ଆରମ୍ଭ କରିବା ଉଚିତ ।

 

ମୋ’ ମତ ଅନୁସାରେ ଏଇଠି ଏଇ କେନ୍ଦ୍ରବିନ୍ଦୁରେ ଫକୀରମୋହନଙ୍କ ଜୀବନର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଓ ଅମୀମାଂସିତ ସମସ୍ୟା ରହିଗଲା । ତା’ ହେଉଛି ନିଜ ପୁଅ ମୋହିନୀମୋହନଙ୍କ ସହିତ ତାଙ୍କ ସମ୍ପର୍କ । କିନ୍ତୁ ଦୁଃଖର କଥା, ବାପ-ପୁଅ ସମ୍ପର୍କ କିମ୍ବା ପ୍ରାୟ ସବୁ ପାରିବାରିକ ସମ୍ପର୍କ ବିଷୟରେ ଫକୀରମୋହନଙ୍କ ଅବଚେତନ ମନରେ ପ୍ରାୟ କୌଣସି ପ୍ରବୃତ୍ତିଗତ ଜ୍ଞାନ ନ ଥିଲା । ଏଇଟା ହେଉଛି ପ୍ରଥମ କଥା । ଦ୍ଵିତୀୟତଃ ପିଲାଦିନରେ ତାଙ୍କ ହେତୁ ପାଇଲା ଅନେକ ଆଗରୁ ତାଙ୍କ ବଡ଼ଭାଇ, ବାପା ଓ ମା ସମସ୍ତେ ମରିଯାଇଥିଲେ । ସେ ବିଷୟରେ ତାଙ୍କ ମନରେ ରହିଗଲା କେବଳ ଗୋଟିଏ ଗଭୀର ଦୁଃଖବୋଧ । ସେ ଦୁଃଖବୋଧ ତାଙ୍କ ବୁଢ଼ା ବୟସର ପ୍ରତିକୃତିରେ ବି ବେଶ୍‍ ସ୍ପଷ୍ଟ । ସେ ଧରିନେଇଥିଲେ ଯେ, ଦାମ୍ପତ୍ୟ ସୁଖ ସବୁଠାରୁ ବଡ଼ ହେଲେ ବି ତା’ ବେଶିଦିନ ରହିପାରେ ନାହିଁ । ଭଗିଆ ଓ ସାରିଆ, ମାନଧାତା ଓ ମହାଦେବୀ, ପ୍ରତାପ ଉଦିତ ମଲ୍ଲ ଓ ଚାନ୍ଦମଣି, ଏବଂ ସ୍ଵପ୍ନା ଓ ଚେମୀ କି ଅଭାବନୀୟ ଭାବରେ ସୁଖୀ ନ ଥିଲେ-! କିନ୍ତୁ ହାୟ, କେତେ ଦିନ ପାଇଁ ।

 

ତୃତୀୟ ଫକୀରମୋହନଙ୍କ ଜୀବନରେ ବାପ-ମା ଭୂମିକାରେ କିଏ କିଏ ଓହ୍ଲେଇଲେ ? ଠାକୁମା ଓ ତାଙ୍କ କକେଇ ପୁରୁଷୋତ୍ତମ ସେନାପତି । ସେମାନଙ୍କର ସମ୍ପର୍କ ଭଲ ନ ଥିଲା । ଆତ୍ମ-ଜୀବନ ଚରିତରେ ପୁରିଷୋତ୍ତମଙ୍କ ବିଷୟରେ ଫକୀରମୋହନଙ୍କ ଚିତ୍ର ଦେଖିଲେ ମନେହେଉଛି ଯେପରିକି ଠାକୁମା ଉପରେ ପୁରୁଷୋତ୍ତମଙ୍କ ପେଟରେ ଅଲିଭା ରାଗ କୁହୁଳୁଥିଲା । କାହିଁକିନା, ପୁରୁଷୋତ୍ତମଙ୍କ ଆଖିରେ ସବୁ ଅନିଷ୍ଟର ମୂଳ ନିଶ୍ଚୟ ହୋଇଥିବେ ଠାକୁମା, ଯାହାଙ୍କ ବୋକାମି ଯୋଗୁଁ ସେମାନଙ୍କର ସମସ୍ତ ସମ୍ପତ୍ତି ହଜିଗଲା ଏବଂ ଯାହାଙ୍କ ଦୋଷରୁ ଲକ୍ଷ୍ମଣଚରଣ ମରିଯାଇଥିଲେ । ସେଇ ସମ୍ପତ୍ତି ଯଦି ହାତରେ ରହିଥାନ୍ତା ତେବେ ପିଲାଦିନୁରୁ ପୁରୁଷୋତ୍ତମ ଓ ତାଙ୍କ ଭାଇ ଲକ୍ଷ୍ମଣଚରଣଙ୍କୁ ପ୍ରତିଷ୍ଠା ପାଇବା ପାଇଁ ଏତେ ଅକ୍ଳାନ୍ତ ଭାବରେ ପରିଶ୍ରମ କରିବାକୁ ପଡ଼ି ନ ଥାନ୍ତା ଏବଂ ଲକ୍ଷ୍ମଣଚରଣ ଯଦି ବଞ୍ଚିଥାନ୍ତେ, ସବୁ ପାରିବାରିକ ଭାର ଯୌବନକାଳରେ ପୁରୁଷୋତ୍ତମଙ୍କ ଘାଡ଼ରେ ଚାପି ପଡ଼ି ନ ଥାନ୍ତା । ଏ ପରିସ୍ଥିତିରେ ପୁରୁଷୋତ୍ତମଙ୍କ ମିଜାଜ ଓ ସ୍ଵଭାବ ଉଗ୍ର, ଅର୍ଦ୍ଧ-ଶିକ୍ଷିତ ଓ ଅମାର୍ଜିତ ହେବା ଛଡ଼ା ଆଉ କ’ଣ ହୋଇପାରିଥାନ୍ତା ? ଫକୀରମୋହନ ପିଲାଦିନର ଘଟଣାଗୁଡ଼ିକ ସବୁ ଠାକୁମା ଦୃଷ୍ଟିଭଙ୍ଗୀଠାରୁ ଦେଖିଛନ୍ତି । ସେଇଥିପାଇଁ କକେଇ ହେଲା VILLAIN ଧରଣର । ଛଅମାଣ ଆଠଗୁଣ୍ଠରେ ମଙ୍ଗରାଜ ଓ ସାଆନ୍ତାଣୀଙ୍କ ଭିତରେ ଯେଉଁ ସମ୍ପର୍କ ରହିଛି, ତା’ ହେଉଛି ପୁରୁଷୋତ୍ତମ ଓ ଠାକୁମାର ପାରିବାରିକ ସମ୍ପର୍କର ଦାମ୍ପତ୍ୟ ସଂସ୍କରଣ ମାତ୍ର । ପୁରୁଷୋତ୍ତମ ସବୁ ସମୟରେ ସମ୍ପତ୍ତି ବିଷୟରେ ଭାବୁଛନ୍ତି; କିନ୍ତୁ ଧର୍ମର ଅବତାର, ସାଆନ୍ତାଣୀ, ସବୁ ସମୟରେ ଅନ୍ୟମାନଙ୍କ ହିତାହିତ ବିଷୟରେ ଚିନ୍ତିତା । ତେବେ ପୁରୁଷୋତ୍ତମଙ୍କ ଚରିତ୍ରରେ ଅନେକ ଭଲ ଦିଗ ରହିଛି । ସବୁ ସତ୍ତ୍ୱେ ସେ ଥିଲେ ଗୋଟାଏ ମଣିଷ । ଗଣ୍ୟମାନ୍ୟ ଗୋଟାଏ ମଣିଷ । କାହିଁକିନା, ସାରା ଦୁନିଆଁ ଚୁରମାର ହୋଇଯାଇଥିଲେ ବି ସେ ରୁକ୍ଷ, ଅଭଙ୍ଗା ମଣିଷ ପୁରୁଷୋତ୍ତମ ରହିଯାଇଥାନ୍ତା । ଫକୀରମୋହନଙ୍କ ପକ୍ଷରେ ଏଇ ମଣିଷ, ଏଇ ରୁକ୍ଷ, ଭୟଙ୍କର ମୂର୍ତ୍ତି ଥିଲେ ବାପାଙ୍କର ପ୍ରତିନିଧି । ଟିକିଏ ଅବାଧ୍ୟ ହେଲେଇ ବେତ ପ୍ରହାର । ଏଇଟା ହେଲା ପୁରୁଷୋତ୍ତମଙ୍କର ସ୍ଵଭାବ । ସେଇଥିପାଇଁ ଅବଚେତନ ମନରେ ଫକୀରମୋହନଙ୍କ ପ୍ରଥମ ଶିଖି ନେଇଥିବା ପାଠ ହେଲା, ଆଚାର-ବ୍ୟବହାର ବଦଳାଇବାକୁ ହେଲେ, ବେତ୍ରାଘାତ ଦରକାର । ତେଣୁ ତାଙ୍କ BASIC PLOTରେ ଦେଖିବାକୁ ମିଳେ, ମାଡ଼ ନ ଖାଇବା ପର୍ଯ୍ୟନ୍ତ ମଣିଷର ଚରିତ୍ର ବଦଳିଯାଏ ନାହିଁ । ଆଉ ମୋର ମନେହେଉଛି, ଫକୀରମୋହନଙ୍କ ଅବଚେତନ ମନ ସବୁବେଳେ ଚୁପି ଚୁପି କହୁଥିଲେ–ମୋହିନୀମୋହନଙ୍କୁ ଠିକ୍‍ ବାଟକୁ ଆଣିବା ପାଇଁ ଗୋଟିଏ ମାତ୍ର ଉପାୟ ହେଉଛି–ବେତ ଶାସନ । ତା’ପରେ ଯାଇ ମୋହିନୀମୋହନଙ୍କୁ ଦେଇଥିବା ନୈତିକ ଶିକ୍ଷା ଫଳିବ । ତେବେ ଅବଚେତନ ସ୍ତରରେ ଫକୀରମୋହନଙ୍କ ଗଦ୍ୟରଚନା ବିଶ୍ଳେଷଣ କଲେ, ଜଣାଯାଉଛି ଯେପରିକି ଫକୀରମୋହନ ସେଇଠି ବ୍ୟକ୍ତଗତ ଜୀବନର ଗୋଟିଏ ଅମୀମାଂସିତ ସମସ୍ୟାର ସମାଧାନ ଖୋଜୁଥିଲେ ମାତ୍ର ।

 

କିନ୍ତୁ ସେ ସମସ୍ୟା ଅମୀମାଂସିତ ହୋଇ ରହିଲା । କାହିଁକିନା, ଭଲ କହିଲେ କ’ଣ ବୁଝାଏ, ଏ ପ୍ରଶ୍ନ ନେଇ ଫକୀରମୋହନଙ୍କ ମନରେ ଦ୍ଵନ୍ଦ୍ଵ ଚଳୁଥିଲା । ଏଇ ଦ୍ଵନ୍ଦ୍ଵ ହେଉଛି ଠାକୁମା ଓ ପୁରୁଷୋତ୍ତମଙ୍କ ଭିତରେ ଚଳୁଥିବା ଦ୍ଵନ୍ଦ୍ଵର ପ୍ରତିବିମ୍ବ ମାତ୍ର । ଊଣେଇଶ ତେର ଜୁନ ମାସ ପର୍ଯ୍ୟନ୍ତ ଆଦର୍ଶ ନାରୀ ଚିତ୍ରଣ କରିବାକୁ ଯାଇ ଫକୀରମୋହନଙ୍କ କଲମରୁ କେବଳ କୁଟିଳା ଦେଈଙ୍କର ପ୍ରତିକୃତି ବାହାରିଥିଲା ଏବଂ ବାସ୍ତବ ଜୀବନରେ ଦ୍ଵିତୀୟ ପକ୍ଷର ଯେଉଁ ସ୍ତ୍ରୀଙ୍କୁ ଫକୀରମୋହନ ଭଲ ପାଉଥିଲେ, ସେ ବି ଅନେକାଂଶରେ କୁଟିଳା ଦେଈ ଧରଣର । ସେଇଥିପାଇଁ ଏଇ ସମୟରେ ସେ ସାଧାରଣତଃ ତାଙ୍କ ଖରାପ-ପୁରୁଷ ଚରିତ୍ରଗୁଡ଼ିକୁ ଅନେକାଂଶରେ ପୁରୁଷୋତ୍ତମଙ୍କ ଆଦର୍ଶରେ ଗଢ଼ୁଥିଲେ । କିନ୍ତୁ ମୋର ମନେହେଉଛି ଯେ ଶିକ୍ଷାର ଫଳ ଓ ଦେଶର ଆର୍ଥନୀତିକ ହିତାହିତ ବିଷୟରେ ଭାବିବାକୁ ଯାଇ କ୍ରମେ କ୍ରମେ ଫକୀରମୋହନ ଉପଲବ୍‍ଧି କରିବାକୁ ଲାଗିଲେ (୨୨), ପୁରୁଷୋତ୍ତମଙ୍କ ପାଖରେ ଯେଉଁ ଶିକ୍ଷା ସେ ନିଜେ ପାଇଥିଲେ, ତା’ ପ୍ରକୃତରେ ଖୁବ୍‍ ମୂଲ୍ୟବାନ ଏବଂ ପାଶ୍ଚାତ୍ୟମୁଖୀ କଳାଗତ ଶିକ୍ଷାଠାରୁ ଏହା ଅନେକ ଗୁଣରେ ଭଲ-। ସେଇଥିପାଇଁ ବୀରେଇ ବିଶାଳ ଏବଂ ସଭ୍ୟ ଜମିଦାର ଭଳି ଗଳ୍ପ ସମ୍ଭବ ହେଲା ।

 

(୨୨) ଅବଚେତନ ଭାବେ, କାହିଁକିନା, ଆତ୍ମଜୀବନ ଚରିତରେ ପୁରୁଷୋତ୍ତମ ଘୃଣ୍ୟ ହୋଇ ରହିଲେ ।

 

ତେବେ ଊଣେଇଶ ତେର ଜୁନ ମାସରେ ଏପରି କିଛି ଗୋଟାଏ ଘଟିଥିଲା, ଯାହାର ରେଖାପାତ ଫକୀରମୋହନଙ୍କ ସାହିତ୍ୟରେ ବେଶ୍‍ ସ୍ପଷ୍ଟ । ସେ ପର୍ଯ୍ୟନ୍ତ ଫକୀରମୋହନଙ୍କ ନାୟିକାମାନେ ଥିଲେ କୁଟିଳା ଦେଈ ଅନୁରୂପ, ସମାଜ ହିତାକାଂକ୍ଷୀ; କିନ୍ତୁ ବାସ୍ତବରେ ଅକାର୍ଯ୍ୟକାରୀ । କ୍ରମେ କ୍ରମେ କିନ୍ତୁ ଫକୀରମୋହନ ବାଧ୍ୟ ହୋଇ ସ୍ଵୀକାର କରିବାକୁ ଆରମ୍ଭ କଲେ ଯେ, ଏଇ ବାସ୍ତବ ଦୁନିଆଁରେ ବଞ୍ଚିରହିବା ପାଇଁ ମଝିରେ ମଝିରେ ପୁରୁଷୋତ୍ତମଙ୍କ ପରି ବ୍ୟବହାର କରିବାକୁ ପଡ଼ିବ । ଏପରିକି ଟିକିଏ କଡ଼ା, ଟିକିଏ ଧୂର୍ତ୍ତ ନ ହେଲେ ଚଳିବନାହିଁ ।

 

ଫକୀରମୋହନଙ୍କ ସୁନା ବୋହୂ କ୍ଷୁଦ୍ରଗଳ୍ପ ପଢ଼ିଲେ, ପ୍ରଥମ ମନେହୁଏ ଯେପରିକି ଊଣେଇଶ ତେର ଜୁନ ମାସକୁ ଫକୀରମୋହନ ଜାଣିପାରିଥିଲେ ଯେ ତାଙ୍କ ପ୍ରଥମ ପକ୍ଷର ବିବାହ ବ୍ୟର୍ଥ ହେବା ଅବଶ୍ୟମ୍ଭାବୀ ନ ଥିଲା । କାହିଁକିନା, ଫକୀରମୋହନଙ୍କ ପ୍ରଥମ ପକ୍ଷର ସ୍ତ୍ରୀ ଲୀଳାବତୀ ଦେବୀ ପରି ସୁନା ବୋହୂ କ୍ଷୁଦ୍ରଗଳ୍ପର ନିମା ସ୍ଵଭାବତଃ ବଦ୍‍-ମିଜାଜୀ ଥିଲା । କିନ୍ତୁ ସାହିତ୍ୟରେ ନିମାର ଚରିତ୍ର ବଦଳିଗଲା ଶାଳୀ ଚମ୍ପା ହାତରୁ ଅପମାନ ପାଇ । ବାସ୍ତବ ଜୀବନରେ ଲୀଳାବତୀ ଦେବୀର ଚରିତ୍ର ବଦଳିଯାଇ ପାରିଥାନ୍ତା, ଯଦି କୁଟିଳା ଦେଈଙ୍କର କିଛି ସାହସ ଓ କିଛି ଦୃଢ଼ତା ଥା’ନ୍ତା ।

 

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏଇ; ତାଙ୍କ ସାହିତ୍ୟରେ ତାଙ୍କ ନାୟିକାର ଚରିତ୍ର ବଦଳାଇ ଦେଇଥିବାରୁ ମନେହେଉଛି ଯେପରିକି ଫକୀରମୋହନଙ୍କ ମନ କ୍ରମେ କ୍ରମେ କୁଟିଳା ଦେଈଙ୍କ ପକ୍ଷରୁ ଛାଡ଼ି ପୁରୁଷୋତ୍ତମଙ୍କ ଦିଗକୁ ଢଳିବାକୁ ଆରମ୍ଭ କରିଛି । ତେବେ ବି ଆତ୍ମ-ଜୀବନ-ଚରିତ ଦେଖିଲେ, ସ୍ପଷ୍ଟ ଦେଖିବାକୁ ମିଳେ ଯେ, ନା, ଏଇଟା କେବଳ ଫକୀରମୋହନଙ୍କ ଅବଚେତନ ମନର ଲୀଳା । ମୃତ୍ୟୁ ପର୍ଯ୍ୟନ୍ତ ବି ସେ ପୁରୁଷୋତ୍ତମଙ୍କୁ ଘୃଣାରେ ଏବଂ କୁଟିଳା ଦେଈଙ୍କୁ ସ୍ନେହରେ ଦେଖି ଯାଇଛନ୍ତି । ତେବେ ବି ଏକଥାଟି ସ୍ପଷ୍ଟ ଊଣେଇଶ ତେର ଜୁନ ମାସ ପରେ ଫକୀରମୋହନ ଅବଚେତନ ଭାବରେ କୁଟିଳା ଦେଈଙ୍କୁ ସମାଲୋଚନା କରିବାକୁ ଆରମ୍ଭ କରିଥିଲେ । ତା’ର ପ୍ରମାଣ ହେଉଛି ତାଙ୍କ ନାୟିକାର ପରିବର୍ତ୍ତନ ।

 

ଊଣେଇଶ ତେର ଜୁନ ମାସ ପରେ ଫକୀରମୋହନଙ୍କ ନାୟିକାମାନଙ୍କ ଆସନ୍ତା ପରିବର୍ତ୍ତନର ପ୍ରଥମ ଆଭାସ ହେଉଛି ସୁନା ବୋହୂର ଅନି ଆଈ ।

 

‘ବୟସ ଥିବାବେଳେ ଅନି ଆଈ ବଡ଼ କଳିହୁଡ଼ି ଥିଲା । ପର ଉପକାର କରିବାକୁ, ଭାବ କରିବାକୁ ବି ଆଗ । ବୁଦ୍ଧିମତୀ, ଦରକାର ପଡ଼ିଲେ ଗୋଟାଏ ଠିକ୍‍ ବୁଦ୍ଧି ଫାନ୍ଦି ଦେବାକୁ ବି ଖୁବ୍‍ ପାରେ । ରାଣ୍ଡ ମାଇକିନିଆଟିଏ ହେଲେ କ’ଣ ହେଲା, ଭୁଲ୍‍ଭଟକାରେ ଗାଁଲୋକେ ତାକୁ ପରାମର୍ଶ ପଚାରନ୍ତି’ । (୨୩)

 

(୨୩) ଫକୀରମୋହନ ଗ୍ରନ୍ଥାବଳୀ ପୃ୫୪୯ଷ୍ଠା ଦ୍ରଷ୍ଟବ୍ୟ ।

 

ଅନି ଆଈ ପରେ ପରିବର୍ତ୍ତନଟା ଖୁବ୍‍ ଶୀଘ୍ର ଘଟେ । ରାଣ୍ଡୀ ପୁଅ ଅନନ୍ତାର ସିଂହାଣୀ, ଛଅମାଣ ଆଠଗୁଣ୍ଠର ଚମ୍ପାଠାରୁ ଆହୁରି ଭୟାନକ । ପେଟେଣ୍ଟ ମେଡିସିନ୍‍ର ସୁଲୋଚନା ସ୍ଵାମୀକୁ ଗାଳିଦିଏ ଏବଂ ଦରକାର ପଡ଼ିଲେ ଛାଞ୍ଚୁଣିରେ ମାରେ । ବୀରେଇ ବିଶାଳର କମଳୀ ବାପାଙ୍କଠାରୁ ଚୋରି କରେ । କୁଟିଳା ଦେଈ ଥିଲେ ଓଡ଼ିଶାର ପରମ୍ପରାଗତ ଗୁଣାବଳୀର ସାକ୍ଷାତ ଅବତାର । କିନ୍ତୁ ଫକୀରମୋହନଙ୍କ ଊଣେଇଶ ତେର ଜୁନ ମାସ ପରର ନାୟିକାମାନେ ଥିଲେ ଠିକ୍‍ ତା’ର ବିପରୀତ । ଏପରିକି ପାଠୋଈ ବୋହୂ ପ୍ରଥମେ ପଢ଼ିଲେ ମନେହେବ ଯେପରିକି ଏହା କୁଟିଳା ଦେଈଙ୍କ ବିଦ୍ରୂପାତ୍ମକ ଚିତ୍ରଣ । କାହିଁକିନା, ସର୍ବ ଶେଷରେ ନାୟିକା ଯେଉଁ ଦୁଃଖ-ଦୁର୍ଦ୍ଦଶା ଭୋଗ କରିଛି, ତାହା ଏଇ ପରମ୍ପରାଗତ ଗୁଣର କୁଫଳ ।

 

ଉପସଂହାରରେ ଏହା କୁହାଯାଇପାରେ, ବୋଧହୁଏ ଊଣେଇଶ ତେର ଜୁନ ମାସରେ ପୁଅଙ୍କ ବୋହୂର ବ୍ୟବହାର ଦେଖି ଫକୀରମୋହନ ଭାବିଥିଲେ ଯେ, ଏଣିକି ତାଙ୍କ ଅମୀମାଂସିତ ସମସ୍ୟା ଆଉ ଜଣଙ୍କ ହାତକୁ ଚାଲିଯାଇଛି ।

Image